ଆକର୍ଷଣ ବନାମ ଅତ୍ମୀୟତା
ଆକର୍ଷଣ ବନାମ ଅତ୍ମୀୟତା
ଆକର୍ଷଣ ଆଉ
ଅତ୍ମୀୟତା ନେଇ
ବିତର୍କ ଆଣେ ଏ ମନ ।
ଆଙ୍ଗିକ ରୂପରେ
ଯଦିଓ ସମାନ
ଆତ୍ମିକରେ ଭିନ୍ନ ଭିନ୍ନ ।
ଆକର୍ଷଣ ଦେହେ
କାମନା କୁହୁଳେ
ସଂକ୍ଷିପ୍ତ ତା'ରି ଆୟୁଷ ।
କ୍ଷଣକରେ ଆସେ
ଆସି ଚାଲି ଯାଏ
ଦିଏ ଘାତ, ଦିଏ କ୍ଳେଶ ।
କପଟ ଛଳନା
ମିଛ,ପ୍ରବଂଚନା
ଆକର୍ଷଣ ପ୍ରିୟ ସାଥି ।
କାର୍ଯ୍ୟ ଘେନା ପ୍ରୀତି
ସଂକୀର୍ଣ୍ଣତା, ସ୍ୱାର୍ଥୀ
ତାଆରି ନିର୍ମମ ନୀତି ।
ଅତ୍ମୀୟତା ମନ
ପ୍ରାଣର ବନ୍ଧନ
ହୃଦୟର ଗଭୀରତା ।
ଜଣକ ଆଖିରୁ
ଲୁହ ଧାର ଦିଏ
ଅନ୍ୟ ଆଖିରେ ସିକ୍ତତା ।
ଅତ୍ମୀୟତା ପୁଣ୍ୟ
ଆତ୍ମାରୁ ଆତ୍ମାରେ
ଆତ୍ମୀୟର ଗୀତି ଗାଏ ।
ନିଜ ପାଇଁ ନୁହେଁ
ଆତ୍ମୀୟର ପାଇଁ
ସୁଖ ଶାନ୍ତି ବାଣ୍ଟିଥାଏ ।
ଅତ୍ମୀୟତା ସ୍ଥୁଳ
ନିବିଡ଼ ବନ୍ଧନ
ମମତା ତାଆରି ମୂଳ ।
ଆକର୍ଷଣ ସୂକ୍ଷ୍ମ
ସଂକୀର୍ଣ୍ଣ ଅବର୍ଣ୍ଣ
ହେବ କାହୁଁ ତା'ରି ତୁଳ !
ବନ୍ଧନ ହିଁ ସତ୍ୟ
ସମ୍ପର୍କ ହିଁ ସତ୍ୟ
ଧ୍ରୁବ ସତ୍ୟ ଅତ୍ମୀୟତା ।
ଆତ୍ମାରେ ଆତ୍ମାରେ
ଆକର୍ଷଣ ନୁହେଁ,
ପବିତ୍ର ପ୍ରେମର ବାର୍ତ୍ତା ।
ସେ ପ୍ରେମରେ ଥାଏ
ମଣିଷ ପଣିଆ
ନ ଥାଏ ସୂକ୍ଷ୍ମ କାମନା ।
କାମନା ତ ଆସେ
ଆସି ଚାଲିଯାଏ
ସମ୍ପର୍କ କେବେ ତୁଟେ ନା ।
ଆକର୍ଷଣ ଆସେ,
ଆସି ଚାଲିଯାଏ
ଅତ୍ମୀୟତା ଚିରନ୍ତନ ।
ଚିରସ୍ଥାୟୀ ପ୍ରୀତି
ଦୁର୍ଲଭ ସମ୍ପତ୍ତି
ଶୁଦ୍ଧ ଶାଶ୍ୱତ ବନ୍ଧନ ।