ଶନି ଦଶା
ଶନି ଦଶା
ପ୍ରଭୁ ଦରଶନ ପାଇଁ ଯାଇଥିଲେ
ପତି ପତ୍ନୀ ବାଇକିରେ
ସରୁ ସୂତା ପ୍ରାୟ ସୁନାର ଚେନ୍ ଟେ
ଥିଲା ପତିନୀ ବେକରେ ।
ଶନିବାର ଦିନ ଶନି ଦରଶନ
କଲେ ହେବ ଦଶା ଦୂର ।
କହିଥିଲା ନାମୀ ଜଉତିଷ ଜଣେ
କୋଷ୍ଠୀର କରି ବିଚାର ।
ସାତ ଶନିବାର ଦରଶନ ପରେ
ନିଶ୍ଚୟ ମିଳିବ ଫଳ
ଖରାପ ସମୟ ଚାଲିଅଛି ଯେଣୁ
ଶନି ପାଦେ ତେଲ ଢାଳ ।
ଛଅ ଶନିବାର ସରି ଯାଇଅଛି
ଆଜି ତ ସପ୍ତମ ଦିନ
ଆଜି ପରେ ଭାଗ୍ୟ ଉଜ୍ଜଳ ହୋଇବ
ପ୍ରସନ୍ନ ରହିବ ମନ ।
ଦରଶନ ସାରି ଫେରିବା ବାଟରେ
ଉଭା ହେଲେ ଦୁଇ ବନ୍ଧୁ
କଳା ମଚମଚ ଚେହେରାକୁ ଢାଙ୍କି
ଝିଙ୍କି ନେଲେ ଚେନ୍ କାନ୍ଧୁ ।
‘ହାଏ ମୋର ଚେନ୍ କିଏ ନେଇଗଲା
ଧର ଧର ତାକୁ ଯାଇ’
କହୁ କହୁ ପତ୍ନୀ ବେହୋସ ହୋଇଲା
ପତି ଚାହିଁଛି ତାଟଙ୍କା ହୋଇ ।
କିଏ ସେ ଆସିଲା, କଅଣ ଘେନିଲା
ବୁଝୁ ବୁଝୁ ସବୁ ଶେଷ
ଅନ୍ଧାର ସାଙ୍ଗକୁ ନିଚ୍ଛାଟିଆ ବାଟ,
ହୋଇଲେ ଚୋର ଅଦୃଶ୍ୟ ।
‘ଧରରେ .. ଧରରେ ..କେ’ ଅଛ କୋଉଠି’
ଛାଡୁଥିଲା ରଡି ପତି
‘ଯିଏ ନେଲା ତା’ର ବଉଁଶ ବୁଡିବ ..’
ବାଉଳି ଖାଉଛି ପତ୍ନୀ ।
‘ପୁଲିସିରେ ଯାଇ ଏତେଲା ଲେଖାଅ
ଚୋରକୁ ଧରିବେ ସେଇ
ଏଠି ଯେତେ ବାଡି କଚାଡିଲେ ମୁଣ୍ଡ
ଚେଏନ ମିଳିବ ନାହିଁ ।‘
ଉପଦେଶ ଦେଇ ଫେରିଗଲେ ସର୍ବେ
କା’ ପାଖେ ଅଛି ସମୟ
ଏ ତ ନିତିଦିନ ଘଟଣା କାହିଁକି
ହଉଛ ଏତେ ଅଥୟ !
ଚାହା ଜଳଖିଆ ସାଙ୍ଗକୁ ଗପର
ଆସର ଜମେଇ ଦେଇ
ବସି ରହିଥିଲେ ଚାମଚାଙ୍କ ମେଳେ
ପୁଲିସିଙ୍କ ବଡଭାଇ ।
କୋହ ଉଠୁଅଛି ହୃଦ କନ୍ଦରାରୁ
ଆଖିରୁ ବୁହଇ ଲୁହ
ଘଟିଗଲା ଯାହା ମୁହୂର୍ତ୍ତକ ମଧ୍ୟେ
କହିବାକୁ ଲାଗେ ଭୟ ।
କାନ୍ଦି କାନ୍ଦି ପତ୍ନୀ କହିଗଲା ସନ୍ଧ୍ୟା
ବେଳର ଘଟଣା ସବୁ
ମନଧ୍ୟାନ ଦେଇ ଶୁଣି ଚାଲିଥିଲେ
ପୁଲିସିର ବଡବାବୁ ।
ତାଳୁରୁ ତଳିପା ନିରୀକ୍ଷଣ ସାରି
ପଚାରିଲେ ହସି ହସି
‘ବାଇକିରେ ଯଦି ଥିଲ ତୁମେ ଚୋର
କୋଉ ବାଟେ ଗଲା ଖସି ?
ଚିହ୍ନିକି ପାରିବ ଯେ ନେଲା ଚେଏନ
ଦେଖିଦେଲେ ଆଉ ଥରେ
ଗୋରା ଅବା କଳା, ଡେଙ୍ଗା କି ବାଙ୍ଗରା
କେ’ଯା ବା ବୟସ ତା’ରେ ?
ଯେଉଁଠି ଭିଡିଲା ଚେଏନ ତୁମର
ଆଗ ଚାଲ ସେ ଜାଗାକୁ
ଦେଖିଲା ପରେ ମୁଁ ଏତେଲା ଲେଖିବି
ପରେ ଖୋଜିବା ଚୋରକୁ ।
ମୁଣ୍ଡେ ହାତ ମାରି ପତି ପତ୍ନୀ ଗଲେ
ପୁଣି ଥରେ ସେ ଜାଗାକୁ
ସାଙ୍ଗରେ ପାଞ୍ଚଟା ସିପାହୀଙ୍କୁ ଧରି
ବାବୁ ଗଲେ ଦେଖିବାକୁ ।
ଚାହା ଜଳଖିଆ ବାଟରେ ସରିଲା
ତା’ପରକୁ ରାସ୍ତା ମପା
ସବୁ ହେଲା ପରେ ଜଣାଗଲା ଏଟା
ନୁହେଁ ତ ତାଙ୍କ ଇଲାକା ।
ସେପଟ ଥାନାରେ ରିପୋର୍ଟ ଲେଖାଅ
କହି ବାବୁ ଗଲେ ଖରେ
ପତି ପତ୍ନୀ ଦୁହେଁ ଚାହିଁ ରହିଥିଲେ
ବାବୁଙ୍କୁ ବଡ ଆଶାରେ ।
ଗଲା ବେଳେ ଦେଇଗଲେ ହସି
ମାଗଣାରେ ଆଡ୍ ଭାଇସ
‘ସୁନା ଦର ଯାହା ହେଲାଣି କାହିଁକି
ପିନ୍ଧୁଛ କରି ସାହାସ !
ସେ ଥାନାବାବୁଙ୍କୁ ବୁଝେଇ କହିବ
ଘଟିଗଲା ଯାହା ଯହିଁ
ଦରକାର ହେଲେ ପାଞ୍ଚଶ ହଜାର
ଖର୍ଚ୍ଚକୁ ଡରିବ ନାହିଁ ।‘
ଏ ଥାନା ସେ ଥାନା ବୁଲି ବୁଲି ରାତି
ପାହିଗଲା କେତେବେଳେ
ଚେନ୍ ଛିଡା ପାଇଁ ରିପୋର୍ଟ ଦାଖଲ
ନକରିଲେ କେହି ହେଲେ ।
ଏ କହେ ମୁଁ ନୁହେଁ, ସେ କହେ ମୁଁ ନୁହେଁ
ସେ ଜାଗାର ଅଧିକାରୀ
ଏମିତି ଜାଗାକୁ କାହିଁ ଯାଉଥିଲ
ଅନ୍ଧାରେ ପତ୍ନୀକୁ ଧରି ।
ଯିବ ଯଦି ଫଳ ପାଇବ ନିଶ୍ଚୟ
ସେଥିକୁ ଆମେ କି ଦାୟୀ
ଗୋଡ ଆମ ବନ୍ଧା କାନୁନ ଡୋରିରେ
ନଯାଇ ପାରିବୁ କେହି ।
ମୁଣ୍ଡେ ହାତ ଦେଇ ବସିଗଲା ପତି
ଭାବୁଥିଲା ମନେ ମନେ
ଶନି ଦରଶନ ଫଳ ଯଦି ଏହା
ଯିବି ନାହିଁ ଆଉ ଦିନେ ।
ପଡୁ ପଛେ ଦଶା, ଭୋଗେ ମୁଁ ଦୁର୍ଦ୍ଦଶା
ରହିବି ଥାନାରୁ ଦୂର
ପାଞ୍ଚ ହଜାରର ଚେନ୍ ପାଇଁ ଖର୍ଚ୍ଚି
ପାରିବିନି ମୁଁ ବାର ହଜାର ।
-0-