ପରଜାପତି
ପରଜାପତି
ପରଜାପତି
ପରଜାପତି ରେ ପରଜାପତି
ଥିଲୁ ପରା ଦିନେ ତରକା ଅତି
କିସ ପାଇଁ ଆଜି ଯାଉନୁ ଉଡି
ତୋ ପ୍ରିୟା କୁସୁମ ଗଲାକି ଝଡି
ସତ କହ ତୋତେ ରହିଲା ରାଣ
କି ପାଇଁ ବିରସ ତୋ ମନପ୍ରାଣ
ସହରୀଧୂଆଁରେ ହେଲୁ କି ମୋହ
କି ନିଶା ଖାଇ ତୋ ଶୁଖିଛି ମୁହଁ
ଏ ଯୁଗେ ପ୍ରିୟାର ଶୃଙ୍ଗାର ନାହିଁ
ଧୁଳି ମଳି ହୋଇ ଅଛି ଅନାଇ
ସେଥିପାଇଁ କିବା ହେଲୁ ବିରସ
ଆଗ ଭଳି ତୋର ହଲୁନି ନିଶ
କିବା ପରମାଦେ ପଡିଲୁ ଯାଇ
ଉଡି କି ପାରୁନୁ ଡେଣା ହରେଇ
କି ପାଇଁ ସହରୀ ଫୁଲେ ରସିଲୁ
ଗାଆଁର କୁସୁମେ ବିରହୀ କଲୁ
ଏବେ କି ଭାବିଛୁ ଗାଆଁକୁ ଯିବୁ
କିସ ଅଛି ରସ ଆଉ ପାଇବୁ
ପ୍ରଦୂଷିତ ସାରା ପାଣି ପବନ
କଥା ରଖିବୁ ତ ଯାଅ ତୁ ବଣ
ବଣକୁ ଗଲେ ବି ଥିବୁ ତରକି
ଉଡିବୁ ଯତନେ ବିପଦ ଦେଖି
ସେକାଳର କଥା ଏବେ ତ ନାହିଁ
ହାତୀଦାନ୍ତ ଚୋର ମାତିଛି ତହିଁ
ଦନ୍ତାହାତୀ ବନେ ଆଉ ଦିଶୁନି
ପୁରୁଷ ହାତୀର ଦାନ୍ତ ଉଠୁନି
ଏଡେ ସଂସାରଟା ବଡ କରାଳ
ବଣମଲ୍ଲି ରସେ ନହେବୁ ଭୋଳ
ବୁଝି ପାରୁଥିଲେ ମୋର ବଚନ
ତୁଣ୍ଡ ଖୋଲିବୁନି ରହିଲା ରାଣ ।
- କବି-
ଶ୍ରୀଯୁକ୍ତ ପ୍ରସନ୍ନ କୁମାର ମାଦଳା