ବୁଢ଼ା ଶଂଖାରୀର ପର୍ଯ୍ୟାବରଣ ଚିନ୍ତା
ବୁଢ଼ା ଶଂଖାରୀ ତା ପୁଅଙ୍କୁ କହିଲା
ଶୁଣ ଏତିକି ମାଗୁଣି।
ଦିଲ୍ଲୀରେ ଆଉ ମନ ଲାଗୁନାହିଁ
ଗାଁ ମାଟି ଡାକିଲାଣି।
କେତେ କାଳ ହେଲା ରହିଲିଣି ଏଠି
ପିତୃଭକ୍ତ ପୁଅ ମୋର।
କେତେ ସେବା ଆଉ ଯତନରେ ମୋତେ
ରୋଗରୁ କଲୁ ଉଦ୍ଧାର।
ତୋ ସିନିହ ବାପା ଭୂଲି ହେବ ନାହିଁ
ତଥାପି ଲାଗେନା ମନ।
ହଳାହଳ ସମ ଦିଲ୍ଲୀର ପୁଅ
ଦୂଷିତ ପାଣି ପବନ।
ସଡ଼କରେ ଦେଖ ଥାନ ନାହିଁ ଆଉ
ପଦାତିକ ଜନ ପାଇଁ।
ସି ଏନ ଜି ହେଉ ବା ପେଟ୍ରୋଲ ଡିଜେଲ
ସବୁ ବିଷ ଆମ ପାଇଁ।
କର୍କଶ ଧ୍ୱନିରେ କାନ ଫାଟି ଯାଏ
ଯାନ ବାହନ ଶବଦେ।
ପିଇବାକୁ ସ୍ୱଚ୍ଛ ପାଣି ଟିକେ ବାବୁ
ଆକୁଳ ପରାଣ କାନ୍ଦେ।
କୁଢ଼ କୁଢ଼ ହୋଇ ପଲିଥିନ ଗଦା
କେହି ମନା ମାନୁନାହିଁ।
ଗାଈଗୋରୁ ସବୁ ତାକୁ ଚୋବାଇଣ
ମଲେଣି କେତେ ଯେ କାହିଁ।
ନବେ ବରଷର ହେଲିଣି ବାପାରେ
ଯମ ମୋତେ ଡାକିଲାଣି।
ବିଦେଶରେ ବାବା ଦାହ ହେବିନାହିଁ
ତୀର୍ଥ ମୋ ଗାଁ ମଶାଣି।
ଅସ୍ୱଚ୍ଛ ସହରୁ ଶତ ଗୁଣେ ଭଲ
ଛୋଟ ଶୁଦ୍ଧ ଗାଁ ମୋର।
ଜୀବନର ଶେଷ ପାହାରେ ବାପା
ଯିବି ମୁଁ ଛାଡି ସହର।
ଏତେ ଶୁଣି ପୁଅ ଦିଅଇ ଉତ୍ତର
ଶୁଣ ଆହେ ବାପା ମୋର।
ବୃଦ୍ଧ କାଳେ କିଆଁ ଗାଁ କୁ ଯିବାକୁ
ହୁଅ ତୁମେ ତରବର।
ତୁମ ହାତ ଗଢ଼ା ଶଂଖା ନାଇବାକୁ
କେହି ତ ଗାଁରେ ନାହିଁ।
ବିଧବା ହୋଇଲା ଜମିଦାର ବୋହୁ
(ଶଂଖା)ଗଢୁ଼ଥିଲ ଯାହା ପାଇଁ।
ସେହି ଦୁଃଖ ବାପା ତୁମକୁ ବଳିଲା
ବେମାରୀ ଡାକି ଆଣିଲ।
କେତେ ଦୁଃଖ କଷ୍ଟେ ଶୁଣ ତୁମେ ବାପା
ଦେହ ତୁମ ହେଲା ଭଲ।
ବୁଢ଼ା ଶଂଖାରୀର ମନ ମାଳିଲାନି
ପଳେଇ ଆସିଲା ସିଏ।
ରେଳରୁ ଓଲ୍ହାଇ ଗାଁ ମାଟି ମାଡ଼ି
କାନ୍ଦି ପକେଇଲା ବହେ।
ଆଖି ତରାଟି ସେ କାବା ହୋଇଗଲା
ନାହିଁ ଗାଁ ପରିମଳ।
ଚାରିଆଡ଼େ ମାଛି ମଶା ଉଡୁଛନ୍ତି
ଶୁଖିଲା ନଈ ଓ ନାଳ।
ପକ୍କା ସଡକ ରେ ପଲିଥିନ କୁଢ଼
କୁକୁରେ କରନ୍ତି ମେଳି।
ପଲିପ୍ୟାକ କ୍ଷୀର ପିଅନ୍ତି ସଭିଏଁ
ନାହାନ୍ତି ଗାଈ ଓ ଛେଳି।
ଗଛ ବୃଛ ସବୁ କାଟି କଲେ ପଦା
କୋଠାଘର ମାଳ ମାଳ।
କିଆ ଗୋହିରୀରେ ଶୁଭୁନାହିଁ ଆଉ
ହୁକେ ହୋ ଶିଆଳର।
କଂକ୍ରିଟ ଜଂଗଲେ ଜଳୁଛନ୍ତି ସୂର୍ଯ୍ୟ
ଅଂଶୁଘାତ ସାଧେ ଦାଉ।
ପରିବେଶ ସହ ମନ ବି ଦୂଷିତ
ସରଳତା ନାହିଁ ଆଉ।
ବୈଧବ୍ୟ (ମୋ)ମାଆର ଦେଖିଥିଲି ତେବେ
ଗାଁ ହେଲାଣି ଅଭାଗି।
ଗାଁ ମାଆ ମୋର ପ୍ରଦୂଷଣେ କାନ୍ଦେ
ଉଠରେ(ତା) ସନ୍ତାନ ଜାଗି।
ଏଇତା ଦେଖିବା ପାଇଁ ମୁଁ ଆସିଲି।
ନ ମରି ଦିଲ୍ଲୀ ମାଟିରେ।
ସେ କଷଣୁ ଯେ ଏ କଷଣ ବଳିଲା
କାହା ଆଗେ କାନ୍ଦିବିରେ।
ଆରତୀ ସାହୁ(ଆଶା)
ବସନ୍ତ ବିହାର
ନୂଆଦିଲ୍ଲୀ