ହେ ଗାନ୍ଧୀବଦଳାଅ ଏ କୃତ୍ରିମଭାରତକୁ
ହେ ଗାନ୍ଧୀବଦଳାଅ ଏ କୃତ୍ରିମଭାରତକୁ
ହେ ଗାନ୍ଧୀ....ଦେଖିଯାଅ ଥରେ
ତୁମ ସତ୍ୟ ରଙ୍ଗ ଓ ଅହିଂସା ତୂଳିରେ ଆଙ୍କିଥିବା
ଭାରତବର୍ଷର ପ୍ରାକୃତିକ ମାନଚିତ୍ର
ଦୁସ୍ଥ ହିମାଳୟଟା ଖଣ୍ଡ ଖଣ୍ଡ ଶିଳା ତେଜି
ଥରୁଛି ମାଘ ମାସ ବାଘ ଶୀତର ଦରିଦ୍ରଟା ପରି
କନ୍ୟାକୁମାରୀଟା କାନ୍ଦୁଛି
ପୁତ୍ର ହରା ମାତା ବା ପତି ହରା ପତ୍ନୀପରି
ଭାରତ ମହାସାଗରରେ ଭାସୁଛି
କୁଢ କୁଢ ଦେଶପ୍ରେମୀ ଶବ
ଥଳ ହରାଇ ବାଜିଆ ସୁବାସ ଉଦ୍ଦାମ ମାନେ ଡ଼ାକୁଛନ୍ତି
ମୋତେ ବଞ୍ଚାଅ ମୋତେ ବଞ୍ଚାଅ
କାଶ୍ମୀରଟା ଖୋଜୁଛି ବାଟ
ଖଡଗପୁର ରେଳଜଙ୍କସନ୍ ର ଜଟିଳ ମାନଚିତ୍ରରୁ
ଅଯୋଧ୍ୟା ଦେଖୁଛି ସାଂପ୍ରଦାୟିକତାର ଖଣ୍ଡଯୁଦ୍ଧ
ସତେ ଯେମିତି ପାଲଟିଛି ସବୁ କୃତ୍ରିମ॥
ତାଜମହଲଟା ଆଜି ସୂଚାଉଛି
ପ୍ରତାରଣାର କୀର୍ତ୍ତିସ୍ତମ୍ଭ
ରାଜଘାଟ ଅଣ୍ଡାଳି ଖୋଜୁଛି
ଦେଶଦ୍ରୋହୀଙ୍କ ଚିତାଭସ୍ମ
ମରୁବାଲିସବୁ ଝୁରୁଛି ଓଟକୁ
ଗାଙ୍ଗେୟ ସମତଳ କାନ୍ଦୁଛି
ଫସଲ ହଜାଇ ତୀବ୍ର ଧ୍ୱନିରେ
ଜଙ୍ଗଲ ଓ ହିଂସ୍ରଜନ୍ତୁ ଡରୁଛନ୍ତି ହିଂସୁକ ମାନବକୁ
ଜଳଦେବତାବି ଡରିଲେଣି
ତାହା ଉପରେ ଥିବା
ନଭଶ୍ଚୁମ୍ବୀ ପ୍ରାସାଦ ଦେଖି
ସତେ ଯେମିତି ସବୁକିଛି ପାଲଟିଛି କୃତ୍ରିମ॥
ଆଜି ବେଲୁର୍ ମଠରେ ଧକେଇ ହୋଇ କାନ୍ଦୁଛନ୍ତି ସ୍ୱାମୀଜୀ
ଲୁପ୍ତ ଓ ଲିଭା ଅସ୍ପଷ୍ଟ ସଂସ୍କୃତି ଶାସ୍ତ୍ରକୁ ଝୁରି
ଜଗନ୍ନାଥଙ୍କ ବାନା ଛିଡି ପୋଡି ଗଲାଣି
ଝଡ ବିଜୁଳି ମାଡରେ
ଅଧର୍ମୀ ବିଧର୍ମୀଙ୍କ ବିଦ୍ରୁପ ଭକ୍ତିରେ
ଗାଁ ଜନ୍ମମାଟି ଭାରତମାତା ଆଜି ବାହୁନି କାନ୍ଦୁଛି
ତା ସନ୍ତାନର ଅସମ୍ମାନ ଅଣଦେଖା କୃତଘ୍ନତା ପାଇଁ
ସ୍ନେହର ଅଦିନିଆ କଳାବାଦଲଟା ଢାଙ୍କୁଛି
କୁସଂସ୍କାର ଅନ୍ଧବିଶ୍ୱାସର ଭୁମିକମ୍ପଟା
ଖିନ୍ ଭିନ୍ କରିଛି
ବସୁନ୍ଧୈବ କୁଟୁମ୍ଭକମ୍ ର ବେଦଭୂମିକୁ
ଗୀତା ତତ୍ତ୍ୱକୁ ଅଟ୍ଟହାସ୍ୟ କରି ଆଧୁନିକ ଲୀଳା
ସାମ୍ରାଜ୍ୟ ବିସ୍ତାର କରୁଛି କ୍ଷଣିକ ଖୁସିରେ
ସତେ ଯେମିତି ସବୁକିଛି ପାଲଟିଛି କୃତ୍ରିମ॥
କେତେଦିନ ଚାଲିବ ଏ ଖଣ୍ଡିଆଭୂତ ଖେଳ
ଦେବଭୂମିରେ ସୁନାମିର ଗର୍ଜନ
ହିଂସା କପଟର ଫାଇଲିନ୍
ସ୍ୱାଧୀନତାର ଇନ୍ଦ୍ରଧ୍ୱନିକୁ
ବାଧ୍ୟକରିଛି
ସପ୍ତବର୍ଣ୍ଣୀ ଏଣ୍ଡୁଅପରି ରୂପ ବଦଳେଇବାକୁ
ଦେଶଦ୍ରୋହର ବଜ୍ରପାତ କ୍ଷତାକ୍ତ କରୁଛି
ସ୍ୱର୍ଣ୍ଣମୟୀ ଭାରତବର୍ଷକୁ
ଅନୁଗ୍ରହ କର
ଜାଗ୍ରତ କର
ସଦ୍ ଜ୍ଞାନ ଦିଅ ଦେଶବାସୀଙ୍କୁ
ଗଢ ଗଢାଅ ସୁନାର ସ୍ୱପ୍ନର ଅଖଣ୍ଡଭାରତ
ବଦଳାଅ ଏ କୃତ୍ରିମ ଭାରତକୁ।
*ନାରାୟଣ ଚନ୍ଦ୍ର ସେନାପତି,ଜମ୍ଭରା,କେନ୍ଦୁଝର।*