ଆହେ ମୋର ପ୍ରିୟତମ
ଆହେ ମୋର ପ୍ରିୟତମ
ଏଇ ପତରରେ ଲେଖିଅଛ ଯାହା
ସବୁ କିବା ତାହା ସତ ,
ତୁମ ହୃଦୟରେ ମୋଅରି ଭାବନା
ଜାଗୁଥାଏ ଅବିରତ ।
ଅକାରଣେ ଯାହା କେତେ କଥା ଭାଳି
ମନ ହେଉଥିଲା ଘାରି,
'ବଇଁଶୀରେ ରାଇ ମୋଅରି ନାମଟି
ମହତ ଦେଉଛ ସାରି।'
ଜାଣିଶୁଣି ତୁମେ ଏମିତି କରୁଛ
ଶୁଣାଉଛ ଅପବାଦ ,
ଚିନ୍ତା କରି କରି ମୋଅରି ଆଖିରୁ
ହଜି ଯାଉଥିଲା ନିଦ ।
ବୁଝିଲି ଏବେ ମୁଁ ,ତୁମ ଅନ୍ତରରେ
ଟିକିଏ ଛଳନା ନାହିଁ ,
ମନ ପ୍ରାଣ ଦେଇ ଭଲପାଅ ଯେଣୁ
ମୋ ପାଶକୁ ଆସ ଧାଇଁ ।
ଯେବେ ତୁମ ସହ ଭେଟ ହୁଏନାହିଁ
ମୁରଲୀ ବଜାଇ ଡାକ,
ମୁଁ ଏକା ତୁମର ତୁମେ ଅଟ ମୋର
ଜଣାଅ ଦୁନିଆ ଯାକ ।
ବୁଝିଲି ଏବେ ମୁଁ ତୁମ ମନ କଥା
ଆଉ କରିବିନି ମାନ ,
ଦୋଷ ଥିଲେ ମୋର କ୍ଷମା କରିଦେବ
ଆହେ ମୋର ପ୍ରିୟତମ ।।
ବି. ନିରୁପମା
ମାମୁରିଆ, ଛେଣ୍ଡିପଦା,ଅନୁଗୋଳ।