ଜାଣୁ ଜାଣୁ ଖଣାରେ ମୁଁ ପଡ଼ିଲିରେ
ଜାଣୁ ଜାଣୁ ଖଣାରେ ମୁଁ ପଡ଼ିଲିରେ
ଯଦୁମଣି ମହାପାତ୍ର
(ରାଗ- ତୋଡ଼ି ପରଳ, ତାଳ – ଏକତାଳ)
ଜାଣୁ ଜାଣୁ ଖଣାରେ ମୁଁ ପଡ଼ିଲି ରେ
ଜଣାଶୁଣା ସରଣୀ ଛାଡ଼ିଲି ରେ ।
ଉଣା ଟିଣା ବୁଦ୍ଧିରେ
ତେଲି ଘଣା ମଧ୍ୟରେ ଚଣା ପେଷାଇ ବଣା ଅଡ଼ିଲି ରେ ।
ନବ ଧଉତ ତିଳ
ପେଷି ଏରଣ୍ଡ ଫଳ
ନାରୀକେଳକୁ ଯା ନ ପେଡ଼ିଲି ରେ ।
ଯତି ଜପ ଧ୍ବଂସତି
କରିବା ରସବତି
ସତୀ ନାୟିକା ସଙ୍ଗ ଏଡ଼ିଲି ରେ ।
ନିପଟ ମରକଟି
ବଜାର ନାହାକାଟି
ପାଦାନ୍ତି ରଥି ମୁଣ୍ଡ ମାଡ଼ିଲି ରେ ।
ବହୁକାଳ ସୁରଙ୍ଗ
ପାତାଳ ଫୁଟା ଲିଙ୍ଗ
ଶିରେ ବାରୁଣୀ ଆଣି ଇଡ଼ିଲି ରେ ।
କୁଶଳ କଥା ମୋର
ମୂଷଳ ମାନ ଗିର
ଗାଣ୍ଡିକି କରପତ୍ର ଯୋଡ଼ିଲି ରେ ।
ରାତ୍ରିଟି ଉଜାଗର
ନିଦ୍ରାରେ ଗରଗର
ହୋଇ ଉଚ୍ଚେ ମୁଁ ଯେତେ ରଡ଼ିଲି ରେ ।
ନ ଶୁଣିବା ମୋ ଗିର
ଯଦୁମଣି ଉତ୍ତର
କର୍ମ ଦୋଷରୁ ଏହା ବିଡ଼ିଲି ରେ ।
ସମାପ୍ତ