ଗାଆଁକୁ ନଯିବି ଫେରି
ଗାଆଁକୁ ନଯିବି ଫେରି
ଶ୍ରୀମତୀଜୀ ଦିନେ ସକାଳରୁ ଉଠି
ଚାହିଁଲେ ପତିଙ୍କ ମୁଖକୁ
ଶୁଖି ଯାଇଅଛି ଚନ୍ଦ୍ରବଦନଟା
କାହିଁକି କେଜାଣି ମନକୁ !
ଅଶୁଭ ଚିନ୍ତାରେ ଛାତି ଧଡକିଲା
ଉଠିଲେ ସେ ପୁଣି ଚମକି
କାହାର ଚିନ୍ତାରେ ବାବୁଙ୍କ ଶ୍ରୀମୁଖ
ଯାଇଛି ଏମିତି ଲଟକି?
ଶରଧାରେ ଅତି, ପାସେ ଯାଇ ବସି
ପଚାରିଦେଲେ “ହେ ନାଥ,
କାହିଁକି ଆଜି ଏ ବିରଷ ବଦନ
କଅଣ ପାଇଁ ଏ ଦୁଃଖ ?
ଅଫିସିରେ କିଏ ଗାଳି କରିଦେଲା
ବେପାରେ ଦେଲା କି ଠକି
ଅବା କେଉଁ ଝିଅ ତୁମ ନାମେ ପ୍ରେମ
ପତ୍ରଟେ ନଦେଲା ଲେଖି ?
ଆସିଲା କି କିଛି ଦୁଃଖଦ ବାରତା
ଗାଆଁରୁ କି ବିଦେଶରୁ
ଅବା ସାଙ୍ଗ ମେଳେ ଜୁଆ ଖେଳୁ ଖେଳୁ
ହାରିଗଲ ପ୍ରଥମରୁ !
ମାଛ ଦର କ’ଣ ଦେଢ’ଶ ହେଲା କି
ମାଂସ ନାହିଁ ବଜାରରେ
ପରିବା ଖାଇକି ଚଳେଇ ଦେବା ମ
ବୃଥା ଚିନ୍ତା ଛାଡ ବାରେ !”
ପତ୍ନୀଙ୍କ ଶଙ୍କାରେ ଚିଡିଉଠି ବାବୁ
କହିଲେ, “ଥାଉ ଏ ଶରଧା
ତୁମେ ହି ତ ମୋର ଦୁଃଖର କାରଣ
ପ୍ରାଣ ତୁମ ପାଇଁ ଅଧା ।
ତୁମ ବାପଭାଇ ଠକିଦେଲେ ମତେ
ସୁନା କହି ଦେଲେ ଗିଲିଟି
ତୁମରି ସେବାରେ ନିଶ ଦାଢି ପାଚି
ଭକୁଆ ଗଲି ମୁଁ ପାଲିଟି ।
ବାର ବର୍ଷ ତଳେ କଥା ଦେଇଥିଲେ
ସାହା ହେବେ ବିପଦରେ
ଦିନେ କାଳେ ତାଙ୍କ ଦେଖା ନାହିଁ କେବେ
ମୁଁ ରାତି ଦିନ ଏଠି ମରେ ।
ଭଉଣୀଟି ତାଙ୍କ ଅତି ଅଲିଅଳୀ
କହେ ନାହିଁ ତୁ ବଚନ
ଜାଣି ସାରିଲିଣି ଏ କଥାର ସତ୍ୟତା
ଦେଖି ଦୁର୍ଗା ରୂପ ତୁମ ।
ବାରବର୍ଷ ତଳୁ ଯୋଗୀ ରୂପ ଧରି
ପଳେଇଥାନ୍ତି ମୁଁ ଯଦି
ଦିନ ଦିନ ତୁମ ଫରମାଇସିରେ
କରଜେ ନଥାନ୍ତି ଡୁବି ।
ଶାଢି ଗହଣାର ତାଗିଦା ସାଙ୍ଗକୁ
ଘର, ଗାଡିଘୋଡା, ବୁଲା
ପୂରା କରୁ କରୁ ସେସବୁ ତୁମର
ପ୍ରାଣ ମୋର ଶୁଖିଗଲା ।
ବାହା ନହୋଇକି ରହିଥାନ୍ତି ଯଦି
ରହିଥାନ୍ତା କେତେ ଥାଟ
ଝିଅ ଦେଖି ମତେ ଲାଜୋଉ ଥାଆନ୍ତେ
ଛାଡି ଦେଉଥାନ୍ତେ ବାଟ ।
ତୁମ ସୁଖ ପାଇଁ ଦିନରାତି ଖଟି
ହେଲିଣି ମୁଁ ହଡାବଳଦ
ମନ କୁହେ ସବୁ ଛାଡି ଚାଲିଯାନ୍ତି
ହିମାଳୟ ଅବା ଗାରଦ ।“
ସୁକୁ ସୁକୁ କାନ୍ଦି ପତିନୀ କୁହନ୍ତି,
“କି ସୁଖ ଦେଇଛ ମତେ ?
ବମ୍ୱେ ଲୋଭରେ ବାହା ହେଇଥିଲି
କି ଲାଭ ପାଇଲି ସତେ ?
ଦିନରାତି ଖାଲି ଗଧର ଖଟଣୀ
ତା’ ସାଙ୍ଗକୁ ତୁମ ଦାଉ
ପିଲାମାନଙ୍କର ଗଞ୍ଜଣା ବି ଅଛି
ସାଙ୍ଗ ସାଥି କଥା ଥାଉ ।
ରହିଥାନ୍ତି ଯଦି ନିଜ ଥାନରେ ମୁଁ
କରୁଥାନ୍ତି କେତେ ଅୟସ
ଏଠି ତ କେବଳ ସ୍ୱପ୍ନ ଦେଖି ଦେଖି
ବିତିଲା ସବୁ ବୟସ ।
ଭାଇ ଭଉଣୀ ମୋ ଅଛନ୍ତି ସେଠାରେ
ଯା’ ଦେଖିବ ସେ ଥାଟବାଟ
ପୁଞ୍ଜାଏ ଛଅଟା ଚାକର ରଖିକି
ବସୁଛନ୍ତି ଦିନଯାକ ।“
ହସିଦେଇ ପତି କୁହନ୍ତି, “ରାଣୀ ଗୋ,
ମନକଥା କହିଦେଲ
ଆମ ଗାଆଁ ମାଟି ଡାକିଲାଣି କେତେ
ଫେରିଯିବା ଏଠୁ ଚାଲ ।
ପୁଞ୍ଜାଏ କଅଣ, ଦି’ ପୁଞ୍ଜା ରଖିବି
ତୁମ ପାଇଁ ଚାକରାଣୀ
ନିଜ ରାଜ୍ୟେ ମୁହିଁ ରାଜା ହେବି ଆଉ
ତୁମେ ମୋର ପାଟରାଣୀ ।“
ଚମକିଲେ ପତ୍ନୀ, ଡରିଗଲେ ଶୁଣି
ଅସଲ ଉଦ୍ଦେଶ୍ୟ ପତିଙ୍କ
ଏପରି କଥା ତ କେବେ ନଚାହିଁବେ
ମନେ ଖେଳିଗଲା ଆତଙ୍କ ।
ହଉ ପଛେ କଷ୍ଟ, ରହିବେ ସେ ଏଠି
ସମସ୍ତଙ୍କ ଠାରୁ ଦୂରରେ
ଗାଆଁକୁ ଫେରିଲେ ଛାଡିଯିବ ପ୍ରାଣ
ସମସ୍ତଙ୍କ ଦାଉ ସହିରେ ।
ସାଲୁଆର୍ କମିଜି ପିନ୍ଧା ଯିବ ଚାଲି
ଶାଢି ପିନ୍ଧା ପୁଣି ଓଢଣା
ଯେତେ କାମ କଲେ ଖୁସି କେ ହେବେନି
ମିଳୁଥିବ ଖାଲି ଗଞ୍ଜଣା ।
ବୁଲାବୁଲି ଆଉ ହୋଟେଲେରେ ଖିଆ
ହେବ ସବୁ ସାତ ସପନ
ଅତିଥି ଦେବଙ୍କୁ ଖୁସି କରୁ କରୁ
ଭୁଲିଯିବେ ସବୁ ଫେସନ ।
ଏସବୁ କଥା ତ କହି ପାରିବେନି
ସ୍ୱାମୀଙ୍କୁ ଖୋଲିକି ପାଟିଟା
ହସିଦେଇ ତେଣୁ ପ୍ରେମ ନୟନରେ
ଚାହିଁ ଦେଲେ ଆଖିମିଟିକା ।
କହିଲେ, “କାହିଁକି ମିଛରେ ଚିନ୍ତୁଛ
ଏତେ ବସି ଦିନରାତି
ମୁମ୍ବଈରେ ପୁଣି ଦୁଃଖକଷ୍ଟ କିସ
ପାଇ ତୁମ ଭଳି ସାଥି !
ରାଜା ରାଣୀ ଆମେ ଅଟୁ ସବୁ ଥାନେ
ସେଥିକୁ ନକର ଭାବନା
ଛୋଟ କଥା ପାଇଁ ଫେରିଯିବା କଥା
ଜମା ଆଉ କେବେ ଉଠାନା ।
ଘର ଗାଡି ସବୁ ହେଇ ତ ଗଲାଣି
ଅଛି ବା ଆଉ କି ଅଭାବ
ମିଛୁଟାରେ ପଦେ କହିଦେଲି ବୋଲି
ତାକୁ କାହିଁ ଧରି ବସିବ ?
ସ୍ୱାଧିନତା ସବୁ ଚାଲିଯିବ ଆମ
ମିଳିଯିବେ ସିନା ଚାକର
ଜିନ୍ ପିନ୍ଧା ମୋର ସ୍ୱପ୍ନ ହେଇଯିବ
ମୌକା ମିଳିବନି ପ୍ରେମର !
ବଞ୍ଚିଥିବା ଯାକେ ଦୁଃଖ କରିବିନି
ଦଉଛି ଆଜି ମୁଁ କଥା
ହସିଦିଅ ଏବେ, ଭୁଲିଯାଅ ସବୁ
ଦୂରାଅ ମନର ବ୍ୟଥା ।
ରାଣ ଦଉଛି ମୁଁ ପ୍ରିୟତମ ମୋର
କରୁଛି ପୁଣି ଗୁହାରି
ଭଲ ଯଦି ମତେ ପାଉଥିବ ତୁମେ
ଗାଆଁକୁ ନଯିବ ଫେରି ।“
ବାବୁଙ୍କ ମୁହଁଟା ଆମ୍ୱିଳା ହୋଇଲା
ଶୁଣି ଘରଣୀଙ୍କ ଯୁକ୍ତି
କେତେ ଭାବିଚିନ୍ତି ପ୍ଲାନ୍ କରିଥିଲେ
ହେଲେ ନପାଇଲେ ମୁକ୍ତି ।
-0-