ଛଦ୍ମବେଶ
ଛଦ୍ମବେଶ
ତେଲିଙ୍ଗି ବାଇଦ ବାଜିଲାଣି ବେଶି ପଡୋଶୀ ରାଇଜୁ ଶୁଭେ
ମୋ ଚଷା ଦୁର୍ଦ୍ଦଶା ପାଣି ପଶି ଆସି ଘର ଜମିବାଡି ଡୁବେ ।
କିଏ ସେ ବାନ୍ଧିଲା ମହାନଦୀ ପାଣି ଦେବନାହିଁ ବୋଲି ଭାଗ
ଦିଲ୍ଲୀ ଦରବାରେ ତାଙ୍କ ବାବୁ ଜାଣି ଉଦଗାରୁଛି ବିଷ ରାଗ ।
ନେଇ ସାରିଲେଣି ରେଳ କାରଖାନା ବିକାଶ ଡିଣ୍ଡିମ ପିଟି
ଓଡ଼ିଆ ଏଇଠି ଗୁଣ ଗାଏ ସିନା ଅନ୍ଧାର ଯେ କିଟିମିଟି ।
ଭାଷଣବାଜିରେ ଦୁଲୁକୁଛି ଆଜି ଛପନ ଇଞ୍ଚର ଛାତି
ପ୍ରସଙ୍ଗ ବିହୀନ ଚାଟୁକାର ସାଜି ବିତର୍କେ ରହିଛି ମାତି ।
ବଦଳା ଯାଉଛି କାନ୍ଥ ବାଡ ରଙ୍ଗ ପ୍ରକାଶିବ ଜ୍ୟୋତି ବୋଲି
ପାଣ୍ଠି ଅଭାବରୁ ସ୍ଵପ୍ନ ହୁଏ ଭଙ୍ଗ କହନ୍ତିନି କେହି ଖୋଲି ।
ରେଳ ବିଭାଗରେ ସଙ୍କଟ ଅବସ୍ଥା ମନରୁ ପାସୋରି ଦେଇ
ଯାତାୟାତ ପାଇଁ ବୁଲେଟ ବ୍ୟବସ୍ଥା ବିଦେଶରୁ ଋଣ ନେଇ ।
ଉଦ୍ୟୋଗ ଆମର କେବଠାରୁ ମାନ୍ଦା କମୁଛି ବିକାଶ ଦର
ବିଭିନ୍ନ ଆଳରେ ସରକାରୀ ଚାନ୍ଦା ଖାଉଟି ହିଁ ହରବର ।
ପାଞ୍ଚୋଟି ମୁଦ୍ରାରେ ମିଳୁଛି ଭୋଜନ କିଏ ବା କରିବ କାମ
ଦାଦନର ପାଇଁ ଯୋଜନ ଯୋଜନ ଲମ୍ବିଛି ଓଡ଼ିଆ ନାମ ।
ଚାଷୀ ଆତ୍ମହତ୍ୟା ଦରଦାମ ବୃଦ୍ଧି ଯାଇନି ତ କାହିଁ ରୋକି
ନୂଆ କଉଶଳେ ଲଗାଇଣ ବୁଦ୍ଧି ଦୁର୍ନୀତି ଦିଅନ୍ତି ଠୋକି ।
ଅସଲ କଥାରୁ ଫେରାଇ କେ ଦୃଷ୍ଟି ବାଢିଯାଏ ବୃଥା ତର୍କ
ପୁଞ୍ଜିପତି ପାଇଁ ଯୋଗାଇଛି ପୁଷ୍ଟି ନିଗାଡି ତୁମର ଅର୍କ ।
ରାଜନୀତି ଏବେ ନିରିମଳ ଦେଖି ବାବାଙ୍କ ବେପାରେ ମନ
ନେତାଙ୍କ କଲ୍ୟାଣେ ଅନୁଦାନ ଲେଖି ସଞ୍ଚି ଚାଲିଛନ୍ତି ଧନ ।
ଭ୍ରଷ୍ଟାଚାର ଆଉ ଲୋକପାଳ ପାଇଁ ଫାଟି ପଡୁଥିଲା ଦେଶ
ତଥାପି କିପାଇଁ ଛଳନାରେ ଧାଇଁ ବୁଝୁନାହଁ ଛଦ୍ମବେଶ ?
ପ୍ରସନ୍ନ କୁମାର ମାଦଳା