ସତର୍କ ବାର୍ତ୍ତା
ସତର୍କ ବାର୍ତ୍ତା
ବୃକ୍ଷ କହେ “ମନୁଷ୍ୟ ତୁମେ ଏତେ ନିଷ୍ଠୁର
ନିର୍ବିଚାରେ ଆମମାନଙ୍କୁ କରୁଛ ସଂହାର ।
ଜାଣି ନାହଁ ଏହାର କି ହେବ ପରିଣତି
ଆସିବ ହିଁ ଦୁର୍ଦ୍ଦିନ, ହେବ ହିଁ ଦୁର୍ଗତି ।
ଜଳ କହେ, ଯେତେ କୁହ, କିଛି ନାହିଁ ଲାଭ
ଆଗାମୀ ଦିନେ ମୁଁ, ହେବି ଦୁସ୍ପ୍ରାପ୍ୟ ~ ଦୁର୍ଲ୍ଲଭ ।
ମଇଳା ଆବର୍ଜନା, ଘେରିଗଲା ମୋତେ
ସଭ୍ୟ ମନୂଷ୍ୟକୁଳ ଚିକ୍କଣ ହେଲେ ଯେତେ ।
ବାୟୁ କହେ ~ ଥିଲି କେତେ ବିଶୁଦ୍ଧ ନିର୍ମଳ
ରଖୁଥିଲି ପୃଥିବୀକୁ ସ୍ନିଗ୍ଧ ଶୀତଳ ।
ମାନବ କଲ୍ୟାଣେ ଏବେ ବିଷାକ୍ତ ଶରୀର
ନୂଆ ସଭ୍ୟତା କଲା ବ୍ୟାଧିର ମନ୍ଦିର ।
ମାଟି କହେ ~ ଧରିତ୍ରୀର, ମୁଁ ମୁଖ୍ୟ ଆଧାର
ମଣିଷଙ୍କ ଅବିଚାରେ ହେଲି ଅନୁର୍ବର ।
ଅବହେଳା, ଅଯତନ, ଭଙ୍ଗାରୁଜା କ୍ଷୟ
ପ୍ରକୃତରେ ମନୁଷ୍ୟମାନେ ଭାରୀ ନିର୍ଦୟ ।
ଶୁଣିଲ ଅଭିଯୋଗ ସବୁ
ହେ ମାନବ ଜାତି
ଭଲ ପାଇବାକୁ ଶିଖ
ଆରେ ଦୁର୍ମତି ।
ନୋହିଲେ ପ୍ରକୃତି ରୋଷେ
ପଡ଼ିବ ନିଶ୍ଚୟ
ବାଜେ ଦେଖ କାଳଭେରୀ
ଆସୁଛି ପ୍ରଳୟ ।