ମାଆ
ମାଆ
ଉଦାସିନୀ ଥାଇ ହସହସ ଲାଗେ
ଦେଖିଲେ ମାଆର ମୁହଁ
ନିଜର କୋହକୁ ଛପାଇ ସତେକି
ପିଇଯାଏ ଆଖିଲୁହ ।
ମାଆ ଜାଣେ ସିନା ସନ୍ତାନକୁ ଦେଖି
ଅନ୍ତର ବେଦନା ଯାକ
ହଜମ କରେ ସେ ନିଜଦୁଃଖ ଯାହା
ମାଡେନି ପିଲାଙ୍କ ପାଖ |
ନିଜ ଦୁଃଖ ଚାପି ସନ୍ତାନର ପାଇଁ
କାମନା କରେ ଯେ ସୁଖ
ପଣତ କାନିରେ କୋହ ପୋଛିଦେଇ
ସାଜିପାରେ ପୂରା ମୂକ ।
ଜୀବନର ଯେତେ ଧର୍ମ ଅରଜନ
ଉତ୍ସର୍ଗି ସଭିଙ୍କ ପାଇଁ
ପ୍ରତିଦାନେ କେବେ ପରିବାର ଠାରୁ
କିଛି ଆଶା ରଖେ ନାହିଁ ।
ପିଲାଙ୍କ ମଙ୍ଗଳେ ପୂର୍ବ କଷ୍ଟ ଭୁଲି
ସମସ୍ୟା ଆଗରେ ଯୁଝି
ଦୁଃଖିନୀ ହେଲେ ବି ମାଆ ଏକା ପାରେ
ପିଲା ମନକଥା ବୁଝି ।
ମାତା ମୁଖ ଗୋଟି ଚନ୍ଦ୍ରମା ସମାନ
ମଧୁ ପୀୟୂଷର ଧାରା
ସାନିଧ୍ୟେ ତାହାର ଅପସରି ଯାଏ
କୋଟି ପାପତାପ ଭାରା |
ମାଆ ଡାକ ଏହି ସଂସାରରେ ସାର
ମମତାର ମଧୁ ଝରେ
ବିପଦ ଆପଦେ ଶାନ୍ତିସୁଧା ମିଳେ
ମାଆ ନାମ ସ୍ମରଣରେ ।