ହେ ମୃତ୍ୟୁ !
ହେ ମୃତ୍ୟୁ !
ହେ ମୃତ୍ୟୁ !
ଏଇ ସ୍ୱାର୍ଥବିଜଡିତ ଦୁନିଆ ଭିତରେ
ତମେ ପୁଣି କାହିଁକି ଯେ ନିସ୍ୱାର୍ଥର ପ୍ରତିମୂର୍ତ୍ତିଟିଏ ସାଜ
ସମସ୍ତେ ନିଜର ଏଠି ପର କରି ଦେଲା ପରେ
ତୁମେ କାଇଁ ନିଜର କରିନିଅ
ତା ପୁଣି ସବୁ ଦିନ ପାଇଁ
ଏଇ ଆଳିକ ଦୁନିଆର
ସବୁତକ ଦୁଃଖ ଆଉ ଯାତନାକୁ
ତୁମ ମସୃଣ ପାଦ ତଳେ ଦଳି ଦେଇ
ଚିର କାଳ ପାଇଁ ମୁକ୍ତି ଦେଇ ଯାଅ
ହେ ମୃତ୍ୟୁ ତୁମେ ତ ପର ନୁହଁ
ବଂର ତୁମେ ମୋ ଅତି ନିଜର.....।
ଜନ୍ମ ନେଇଥିଲି ଦିନେ ଏଇ ଦୁନିଆରେ
ଆଖି ମେଲି ଦେଖିଥିଲି
ଏଇ ମୋହ ମାୟାର ସଂସାରକୁ
ନିଜର ବୋଲି ପାଇଥିଲି
କେତେ ଯେ ସମ୍ପର୍କୀୟ
ଆଉ ଭାବି ନେଇ ଥିଲି
ସେ ସମସ୍ତେ ମୋ ନିଜର
ହେଲେ ଆଜି ଜାଣିପାରୁଛି ମୁଁ
କେହି ତ ନ ଥିଲେ ମୋ ଆତ୍ମୀୟ
ଖାଲି ଯାହା ସମ୍ପର୍କର ସୂକ୍ଷ୍ମ ଡୋରୀଟିଏ ବନ୍ଧା ଥିଲା
ଆଉ ଯେଉଁଠି ଲାଗି ସାରିଥିଲା ସ୍ୱାର୍ଥର କଳଙ୍କ
ହେ ମୃତ୍ୟୁ କିଏ କହିଲା ତୁମେ ମୋ ଆତ୍ମୀୟ ନୁହଁ
ତୁମେ ତ ମୋ ଜନ୍ମ ଜାତ ନିକଟ ସମ୍ପର୍କୀୟ ।
ପ୍ରତି ସମୟରେ ତୁମେ ରହିଥିଲ ଅତି ସନ୍ନିକଟ
ମୁଁ ଦେଖି ସିନା ପାରୁନଥିଲି
ତୁମ ବିଶାଳ ମହୀୟାନ କାୟାକୁ
ହେଲେ ମୁଁ ଠିକ ଅନୁଭବ କରୁଥିଲି
ମୋ ହୃଦୟ ଭିତରେ ଅତି ନିଖୁଣ ଭାବରେ
ଆଉ ଆଙ୍କି ଚାଳୁଥିଲି ତୁମ ଚିତ୍ର ପରେ ଚିତ୍ର
କାଲେ ଚିହ୍ନି ଯିବି ତୁମକୁ
ଆଉ ସେଇଥି ପାଇଁ ତ
ଆପଣେଇ ନେଇଥିଲି ମାଳ ମାଳ ସଂଘର୍ଷ ସବୁକୁ
ଦୁନିଆରେ ଚିର ସହଚରଟିଏ ଅନ୍ଵେଷଣରେ
ହେଲେ ପାଇଲିନି
ଶେଷରେ ମୋ କାୟା ବି ସାଜି ଗଲା ମୋ ପାଇଁ ପର
ଯାହା ପାଇଁ ଗର୍ବରେ ଦିନେ ମାରୁଥିଲି ବାହାସ୍ପଟ
ହେ ମୃତ୍ୟୁ ତୁମକୁ ତ କେବେ କିଛି ଦେଇନି
ଦେଇଛି ତ ଖାଲି ଘୃଣା ଆଉ ତୁମ ପ୍ରତି କରିଛି ମୁଁ ଭୟ
ତଥାପି କାହିଁ କରିନେଲ ମୋତେ ଏତେ ନିଜରଠୁ ବି ନିଜର।
ହେ ମୃତ୍ୟୁ!
ମୁଁ ଆଜି ଠିକ ବୁଝିପାରିଛି
ତୁମେ ହିଁ ମୋ ପ୍ରକୃତ ସହୋଦର
ସମସ୍ତେ ପରକରି ଦେଲା ପରେ
ନିସ୍ୱାର୍ଥରେ କରିନିଅ ନିଜର
କରିଯାଅ ନ କହିଲେ ବି
ସବୁ ଦୁଃଖ ଆଉ ଯନ୍ତ୍ରଣାର ଅନ୍ତ
ଦେଇଯାଅ ମନେ ମୋର ପରମ ଆନନ୍ଦ
ହେ ମୃତ୍ୟୁ ମୁଁ ଠିକ ବୁଝିପାରୁଛି
ତୁମେ ହିଁ ମୋ ପ୍ରକୃତ ସହଚର
ଜନ୍ମ ଠାରୁ ଅନ୍ତିମ ଯାଏଁ ଥିଲ ସାଥେ ମୋର
ତୁମେ ହିଁ ତ ଦୁନିଆର ଅଟ ଚିର ସତ୍ୟ
ହେ ମୃତ୍ୟୁ ବନ୍ଧୁ ତୁମେ ସବୁ ଜନମର ।
@bikeshsahu