ଯୁଗ୍ମ କବିତା
ଯୁଗ୍ମ କବିତା
...୧...
ଏହି ଉପାୟଟି କର
ଏତେ ଚିନ୍ତାଗ୍ରସ୍ତ ନ ହୁଅ ଗୋ ରାଣୀ
ମୋ ଦେହ ଅସୁସ୍ଥ ବୋଲି ,
କଲଣି ତ ସବୁ ଉପଚାର ମୋର
ନିଜ ଭୋକ ଶୋଷ ଭୁଲି ।
ଏଡ଼େ ସହଜରେ ଯିବନି ଏ ପୀଡ଼ା
ଅଛି ଏକ ପ୍ରତିକାର ,
ଅଚିରେ ଆରୋଗ୍ୟ ହେବି ମୁଁ ସେଥିରେ
ଏହି ଉପାୟଟି କର ।
ତୁମ ଚରଣର ରେଣୁ ଟିକେ ଆଣି
ମୋ ଶିରରେ ଦିଅ ବୋଳି ,
ସେତିକିରେ ମୁହିଁ ସୁସ୍ଥ ହୋଇଯିବି
ଚାହୁଁ ଚାହୁଁ ଆଗଭଳି ।
ବିନା କ୍ଳେଶରେ ମୁଁ କରିପାରିବି ଗୋ
ପୂର୍ବଭଳି ନିଜ କାର୍ଯ୍ୟ ,
ତୁମରି ମଧ୍ୟରୁ ଯେ ଦେଉଛ ଦିଅ
ସଅଳ ଯେ ପଦରଜ ।।
...୨...
ବୁଡ଼େଇବ ଆମ ଭେଳା
ଏ କି କଥା ତୁମେ କହୁଅଛ ନାଥ
ପଦ ରଜ ଦେବୁ ଶିରେ ,
ଜାଣିଶୁଣି ଘୋର ପାପ ଅରଜିବୁ
ପଡ଼ିବୁଟି ନରକରେ ।
ଏ ଅଧର୍ମ କଥା କହୁଅଛ କିଆଁ
କିବା କାର୍ଯ୍ୟେ କଲୁ ହେଳା ,
ଶରଣ ରକ୍ଷଣ ହୋଇକରି ନାଥ
ବୁଡ଼େଇବ ଆମ ଭେଳା ।
ଦୁନିଆବାସୀଙ୍କ ରୋଗ,ଦୁଃଖ, ଶୋକ
ନାଶ କରୁଅଛ ତୁମେ ,
ତୁମ ତନୁ ପୀଡ଼ା ହରିବାକୁ କିବା
ସଫଳ ହୋଇବୁ ଆମେ !
ଆଉ କିଛି ତା'ର ପ୍ରତିକାର ଥିଲେ
ବତାଇ ଦିଅନ୍ତୁ ସାଇଁ ,
ନିଶ୍ଚେ ଆମେ ସେଇ ଉପାୟ କରିବୁ
ତୁମରି ଆରୋଗ୍ୟ ପାଇଁ ।।
ବି. ନିରୁପମା
ମାମୁରିଆ, ଛେଣ୍ଡିପଦା,ଅନୁଗୋଳ ।