ତମପାଇଁ ଅବୁଝା ମନଟି
ତମପାଇଁ ଅବୁଝା ମନଟି
ଦୁଃଖ ମୋର ତମପାଇଁ ‐
କେତେ ଯେ ଶ୍ରାବଣୀ ସଂଜ
ଶୀତୁଆ ରାତିର ମଂଜ
ଗୋଟିଗୋଟି ବିତିଗଲା
ଜାଳି ନପାରିଲି ଯାହା
ତମପାଇଁ ପ୍ରୀତିର ସଳିତା,
ଦୁଃଖ ମୋର ସେଥିପାଇଁ
ବୁଝିବାର ଗଡିଗଲା ପରେ
ଆଉ ମୁଁ ପାରୁନି ବୁଝି
ମନତଳେ ତମଲେଖା
ଅତୀତର ରେଶମୀ କବିତା ।
ଆଉ ମୁଁ ଦେଖୁନି ଜହ୍ନ ରାତିଟିଏ ତମସାଥେ
ଭିଜିଭିଜି ଖୋଜିବାକୁ ଗରମ ନିଃଶ୍ବାସ,
ଦେଖୁନି ଗୋଟେ ବି ସ୍ବପ୍ନ
ଦୀର୍ଘ ସମୟର ଉପକୂଳେ
ମୁହୂର୍ତ୍ତର ଜୀବନଟା
ଚହଲା ପାଣିପରି ନିର୍ମଳ ଉଶ୍ବାସ ।
ଜହ୍ନର ପାଦଚଲା ଆକାଶରେ ନାହିଁ ଆଜି
ତମ ଆମ ସ୍ବପ୍ନବିଛା କୃଷ୍ଣଚୂଡା ରଂଗର ଗାଲିଚା,
ଲଂଗଳା ଧାନକ୍ଷେତେ ଅସଜଡା ଚାଲି ଚାଲୁଚାଲୁ
କାଲିପରି ମନେଅଛି ସମୟଟା କାହିଁଗଲା
ଜୀବନଟା ଆଜି ଯାହା
ସ୍ବାଦହୀନ ପାଣିଚିଆ ଲୁଣିଆ ନାଲି ଚା' ।
ପାହାଚ କେତୋଟିପାଇଁ ଅବଶିଷ୍ଟ ଚାଲିବାକୁ
ଖାଲି ଯାହା ତମ ମୁହଁ ନିତିସଂଜେ ରୁମାଲ ବୁଣୁଛି,
ଛୁଇଁବି ତମକୁ ଦିନେ ସାତତାଳ ପଙ୍କତଳେ
ତଥାପି ଦୁଃଖ ଯାହା ସବୁ ବୁଝି
ମୁହୂର୍ତ୍ତଟେ କିଛି ନ ବୁଝୁଛି !
×××