ଫଗୁଣ
ଫଗୁଣ
ଫୁଲର ସହରେ ଫଗୁଣର ଚିହ୍ନ
ଶୀତ ଅପସରି ଯାଏ
ହାତ ପାପୁଲିରେ ଫଗୁର ସୁଗନ୍ଧ
ଜହ୍ନ ଜ୍ୟୋସ୍ନା ଢାଳିଦିଏ ।।
ଆମ୍ରକୁଂଜେ ଶୁଭେ କୁହୁକୁହୁ ସୁର
କୋକିଳ ଝଂକାର ତୋଳେ
ପଲ୍ଲବିତ ତରୁ ଖିଲି ଖିଲି ହସେ
ପୁଷ୍ପର ସମ୍ଭାର କୋଳେ ।।
ବଉଳରୁ ବାସ୍ନା ଝରେ ନିରନ୍ତର
ମହମହ ବାସେ ମହୀ
ପ୍ରୀତି ଉପବନେ ଚନ୍ଦନ କସ୍ତୁରୀ
ସ୍ନିଗ୍ଧ ଧାରା ଯାଏ ବହି ।।
ପଳାଶ ବନର ମୁଗ୍ଧ ଶିହରଣ
ହୃଦୟକୁ ଯାଏ ଛୁଇଁ
ମିଳନର ବାସ୍ନା କବଳିତ କରେ
ରାତି ଆସେ ନଇଁ ନଇଁ ।।
ମୃଦୁ ମଳୟର ମଧୁର ମୂର୍ଚ୍ଛନା
କାମାସକ୍ତ କରେ ତନୁ
ସ୍ବପ୍ନସିକ୍ତ ହୁଏ ନିଃଶବ୍ଦ ପ୍ରହର
ଝରି ପଡେ ପୁଷ୍ପରେଣୁ ।।
ସୁଶୋଭିତ ତରୁ ବନଲତା ଯେତେ
ଧରିତ୍ରୀର ତପୋବନେ
ପୂର୍ଣ୍ଣକୁମ୍ଭ ହସ୍ତେ ଧରି ଉଜାଗର
ଫଗୁଣର ସମ୍ମୋହନେ ।।
ଫଗୁଣ ଆସିଛି ଢାଳି କୁଂଜବନେ
ଆଞ୍ଜୁଳାଏ ମଧୁରତା
ଫୁଲର ଶେଯରେ ଭ୍ରମର ଗୁଂଜନ
ମଧୁରାତି ମାଦକତା ।।
ପ୍ରକୃତି ରାଣୀର ନବବଧୂ ବେଶ
ରୂପ ରଂଗେ ଆନମନା
ମଧୁ ବସନ୍ତର ମଧୁର ଲଗ୍ନରେ
ସୁର ତୋଳେ ମନ ବୀଣା ।।
ଚଉଦିଗ ଭରା ରଂଗର ପସରା
ପାର୍ବଣର ମଧୁ ଶୋଭା
ମାଟିରୁ ଆକାଶ ତଲ୍ଲୀନ ମୁହୂର୍ତ୍ତ
ବିଚ୍ଛୁରିତ ସ୍ବର୍ଣ୍ଣ ଆଭା ।।
ଫଗୁଣର ଯେତେ ପୂର୍ଣ୍ଣ ମଂଜୁଳତା
ଝଲମଲ କରୁ ଧରା
ସ୍ନେହ-ସୌହାର୍ଦ୍ଦର ପ୍ରୀତି ଫୂଜାଫୁଲ
ଭ୍ରାତୃତ୍ବ ମହକ ଭରା ।।
ଶରତ କୁମାର ଦାସ