କବିତାର କୋଣ ଘର
କବିତାର କୋଣ ଘର
ତୁ ଏଠି କାହିଁକି ବସିଛୁ
ଏକୁଟିଆ ଅନ୍ଧାରରେ !
ମନସ୍ତାପ କରୁଛୁ ନା?
ତୋତେ କେହି ବୁଝିଲେ ନି
ସେମାନେ ତ
ନିଜକୁ ବୁଝିନାହାନ୍ତି
ତୋତେ କେମିତି
ବୁଝିବେ ଯେ !
ଆଲୁଅକୁ ଆସିବୁନି
ଦି ଆଣ୍ଠୁରେ ମୁଣ୍ଡ ଗୁଞି
ବସିଥିବୁ,
କେତେଦିନ ?
ଚକମକି ପଥର ତୁ
କୋଣ ଘର ଅନ୍ଧାରରେ
କେମିତି ତୁ ଅଛୁ ଭଲା ।
ତନ୍ତ୍ରୀରେ ତନ୍ତ୍ରୀ ବାଜିଲେ ତ
ଚନ୍ଦ୍ର ଉଦିଆ ଝଲସିବ
ବସି ତୁ ପାରିବୁ ତ?
ତୁ ନ ଥିଲେ ବାସ୍ନା ନାହିଁ
ପ୍ରାଣରେ ପୁଲକ ନାହିଁ ,
ଋତୁରେ ସ୍ଵୀକାର ନାହିଁ
ମାଟିରୁ ମହାସାଗର
ମନରୁ ଅରଣ୍ୟ ଅମ୍ବର
ବ୍ୟାପିଛି ତୋ ବାସ୍ନାୟିତ ଡେଣା ।
କସ୍ତୁରୀ ମୃଗ ପରି
ନିଜ ମହକରେ ସମ୍ମୋହିତ ହେବା
ତୋ ଦେଇ ହେଲାନି
ଆ' ଆଲୁଅ କୁ ଆ'
ଚାରିଆଡ଼େ ଚାହାଁ
ନିର୍ମଳ ଆକାଶ , ଜହ୍ନ ତାରା
ଦିନ ର ସୁନେଲି ଖରା ...
ବର୍ଷା ରେ ମେଘ ପସରା
ପାହାଡ କୋଳରେ ତୋ ପରି
ନଈଟିଏ...
ଭାରି ଅଭିମାନୀ
ଆପଣା ତାଳ ଲୟରେ
ଅବିରତ ଗୁମ୍ ସୁମ୍
ପ୍ରକୃତିର ଏତେ ରୂପଛଟା
ଏତେ ମାଦକତା !
ଏମାନଙ୍କୁ ବୁଝେ କିଏ
ସବୁରି ଭିତରେ ତ
ଦୀର୍ଘଶ୍ବାସଟିଏ।
*****
ଡ.ବିଦ୍ୟୁତପ୍ରଭା ଗନ୍ତାୟତ