ମହୁଲ
ମହୁଲ
ନଗେନ୍ଦ୍ର ନାଥ ପଟ୍ଟନାୟକ
ଜଙ୍ଗଲର କୋଳେ ଜନମିଛି ମୁଇଁ
ଜନଜାତିଙ୍କର ପ୍ରିୟ,
ସମ୍ପର୍କ ଯୋଡିଛି ତାଙ୍କରି ସାଥୀରେ
ମଣେନି କାକୁ ହେୟ ।
ଜୀବନ ଜୀବିକା ଅଂଶଟେ ହୋଇଛି
ଆଦିବାସୀ ଭାଇଙ୍କର,
ମତେ ଦେଖିଦେଲେ ଓଠୁ ତାଙ୍କ ଝରେ
ହସ ଖୁସି ଧାରଧାର ।
ମୋ ଦେହେ ଯେତେକ ଫୁଲ ଫଳ ମଞ୍ଜି
ତାଙ୍କଠି ସଅଁପି ଦିଏ,
ଜଣାଯାଏ ନାଇଁ ଅଭାବ କଷଣ
ନିମିଶକେ ଦୂର ହୁଏ ।
ଜାଳେଣି ଅଭାବ ଦୂରେଇ ଯାଏରେ
ଜନଜାତି ଭାଇଙ୍କର,
ମୋ ଶୁଖା ଦେହକୁ ଜଳାଇ ରାନ୍ଧନ୍ତି
ଦରବ ବହୁ ପ୍ରକାର ।
ଦେହେ ମୋ ଫୁଟଇ ସୁନ୍ଦରିଆ ଫୁଲ
ବାସ ମହମହ ତା’ର,
ପାହାନ୍ତି ପହରୁ ଟପଟପ ହୋଇ
ଲୋଟିପଡେ ମହିପର ।
ଲେଖା ଅଛି ପରା ଦେବୀ ଭାଗବତେ
ମୋ ଫୁଲର ଗୁଣଗାନ,
ଦୁରୁଗା ମା’ଙ୍କ ସ୍ୱରୂପ ମୁଇଁ ଯେ
ଜାଣନ୍ତି ଭକତ ଜନ ।
ଯେ ପୂଜା କରଇ ବାରମାସ ମତେ
ମିଳଇ ଅଶେଷ ପୂଣ୍ୟ,
ସୁଖର ଆଲୋକେ ଦୁଃଖ ଘୁଞ୍ଚିଯାଏ
ଜୀବନଟି ହୁଏ ଧନ୍ୟ ।