★ଅକୁତୋଭୟ ★
★ଅକୁତୋଭୟ ★
ତରଳିପାରୁନି ବୋଲି ତ
ଛୁଇଁ ପାରୁନି ମାଟିର ଛାତି ,
ଭେଦିପାରୁନି ଭୂମା ।
ଝୁଲୁଛି ଦୁହିଁଙ୍କ ମଝିରେ
ତ୍ରିଶଙ୍କୁ ପରି ତୁଳା ଖଣ୍ଡେ।
ଟାଣ ହେବା ବି ସହଜ କି !
ସ୍ବପ୍ନକୁ ମୋଡି ମକଚି ଫିଙ୍ଗି ନ ପାରିଲେ,
ଦର୍ପଣକୁ ପିଠି କରି ହସି ନ ପାରିଲେ,
ଲୁହ ଲୁଚେଇ କ'ଣ ଗୋଟେ
ପଡିଗଲା ବୋଲି କହି ନ ପାରିଲେ,
ଜନେ ହସିବେ ଯେ !
କେବେ କେବେ ଅଜାଣତରେ
ପ୍ରେସର୍ କୁକର୍ ର ସିଟିମରା ବାମ୍ଫ ପରି
ତତଲା କଡେଇର ଡହକ ଛାଡି ,
ଆକାଶ ମୁହାଁ ହୁଏ ।
ହଠାତ୍ ଜଣେ ଘୋଡେଇ ଦେଇଯାଏ
ଢାଙ୍କୁଣୀଟିଏ, ଥପ୍ କରି ଅଟକିଯାଏ ପାଦ,
ପଦ୍ମ ଦୂରକୁ ଘୁଞ୍ଚିଯାଏ ।
ଗାଢ ମେକ୍ଅପ୍ ,
ଓଜନଦାର ଆବରଣ,
ଆଭରଣ ତଳେ
ତରଳି ଯାଉଥାଏ ହିମାଳୟ ।
ଭୂଗୋଳ କହେ ,
ଅଟଳ ଅଚଳ ମହାମେରୁ ।
ହାଃ ...ହାଃ....ହାଃ .....
ପ୍ରକୃତିସ୍ଥ ହେବାକୁ ପଡେ ।
ନିଜକୁ ଟାଣ କରିନେବାକୁ ପଡେ ।
ନଇଲେ ଜନେ ହସିବେ ଯେ !!!
★★↑★★↑★★