ଶରଣାପନ୍ନ
ଶରଣାପନ୍ନ
ଶରଣାପନ୍ନ
ବହେ ଅଣଚାଶ ପବନ
କେହି କରେ ଦୂରେ ବେଦ ଗାନ
ମେଘ ଅନ୍ଧାର ରାତ୍ର ଦିଏ ରଣ ହୁଙ୍କାର,
ହାତ ପାଦ ହୋଇଯାଏ ଜଡ
ଯନ୍ତ୍ରଣାରେ ଥରିଯାଏ ମେରୁ ହାଡ
ରୁଦ୍ଧ ଶ୍ୱାସେ କ୍ଷୀଣତର ହୁଏ ସ୍ୱର।
ଦୁନିଆଁ ଟା ଲାଗେ ଏକା ଏକା
ଇନ୍ଦ୍ରଧନୁ ହୋଇଯାଏ ଫିକା
ବ୍ୟର୍ଥତାରେ ଯାଏ ଭରି ଜୀବନ କଳସ,
କାମନା ବାସନା ଯାଏ ହଜି
ସମୟ ଲଗାଏ ଆଜି ବାଜି
ଧ୍ୱଂସ ମୋର ହାତେ ମୋ ବୟସ।
ସମୟ କରେ ଲାଭ କ୍ଷତି ହିସାବ
ସ୍ରଷ୍ଟା ମାଗେ ମୋତେ ଜବାବ
ଲୁହ ଲହୁ ହୋଇଯାଏ ଏକାକାର,
ଶୂନ୍ୟତାର ମନ୍ତ୍ରେ ହୋଇ ମନ୍ତ୍ରିତ
ଯାଏ ସରି ଏ ଶରୀର ରଥ
ତୁମେ ଏକା ସାହା ହେ ନିରାକାର।
ତୁମ ନାମ ରସେ କୋଟି ଅମୃତ
ମିଛ ଦୁନିଆଁରେ ତୁମେ ଏକା ସତ
ମାୟାରୁ କର ପାରି ଗୋପି ବାନ୍ଧବ
କୋଟି ଜନ୍ମ ଚାଲିବାକୁ ଦିଅ ଶକ୍ତି
ତୁମ ନାମ ଗାଇ ଚାହେଁ ପାଇବାକୁ ମୁକ୍ତି
ତୁମ ଇଚ୍ଛା ପୁର୍ଣ୍ଣ ହେଉ ହେ ରାଧା ମାଧବ।
ଜୟ ଶ୍ରୀକୃଷ୍ଣ !