ଦନୁଜ ମନୁଜ
ଦନୁଜ ମନୁଜ
ଦେଖ କି ନିର୍ଲଜା ମାଆ ଦଶଭୁଜା
କରୁଥାଉଁ ଆବର୍ତ୍ତନ
କରି ଆବାହନ ଚିତ୍ତ ଆମୋଦନ
ତଦନ୍ତରେ ବିସର୍ଜନ ।
ନାଚ ଗୀତେ ମନ କରି ଉଚ୍ଛ୍ବସନ
ସତେ କି ସେ ନିଶାଚରୀ
ପ୍ରବୃତ୍ତିକୁ ନେଇ ଆସକ୍ତି ବଢାଇ
ବିତରେ ଗରଳ ଧରି ।
ମାତା କେବେ ସିନା ହୋଇ ବିବସନା
ଆକର୍ଷି ମହିଷ ଚିତ୍ତ
କରିଲେ ଅବଶ କୋପାନଳେ ଧ୍ବଂସ
ମନାସି ଜଗତ ହିତ ।
ଏ କୁଳଲଙ୍ଘିନୀ ଆଜି ଜାଣିଶୁଣି
କରେ ଅଙ୍ଗ ପ୍ରଦର୍ଶନ
ବିନ୍ଧି ପୁଷ୍ପବାଣ ଉତ୍ଶୃଙ୍ଖଳ ମନ
କରୁଥାଏ ସମ୍ମୋହନ ।
ଅଳପ ଉଲଗ୍ନା ଉଛୁଳା ଯୌବନା
ଅପରୂପା ଠାଣି ଦେଖି
ବାଳକ କିଶୋର ବୃଦ୍ଧ କି କିନ୍ନର
ଘୂରାଉଥିବେ ତ ଆଖି ।
ବାଢେ ଆକର୍ଷଣ ପାଇ ପ୍ରୋତ୍ସାହନ
ନିଜ ପରିବାରେ ଯା'ର
ଜାନୁ ଉର କାନ୍ତି ପୁରୁଷେ ବିଭ୍ରାନ୍ତି
ଚରିତ୍ର ସ୍ଖଳନ ସାର ।
ଜଳିବ ଦୁନିଆଁ ଅହେତୁକ ନିଆଁ
ଲାଗିବ ଗୋଟେ ନିମିଷ
ଘରେ ଘରେ ଆଜି ଉଠିଛି ଗରଜି
ଦନୁଜ ଅଂଶ ମହିଷ ।
ଶୁମ୍ଭ ଓ ନିଶୁମ୍ଭ ସାଥେ ଧରି ଦମ୍ଭ
କଟାକ୍ଷ ଯେ ବିକଟାଳ
ପକାଇବେ ଯହିଁ ରହିବ କି ତହିଁ
ନୈଶିକ ବିଜନ ବେଳ ।
ମରୁଥିବ ଭ୍ରୁଣ ବଞ୍ଚିଗଲେ ପୁଣ
ଶୈଶବେ ହେବ ଧର୍ଷିତା
ହେଲେ ଅସମ୍ଭାଳ ପୂରିଯିବ କାଳ
କି ହେବ ଅଗ୍ନିସମ୍ଭୂତା ?
ନାରୀର ମହିମା କି ଗୁଣ ଗରିମା
ମହନୀୟା ବୋଲି ଯେତେ
ଗାଇଲେ କି ହେବ ଶିଷ୍ଟତା ସମ୍ଭବ
ଆଖି ଦେଖୁ ଥାଉଁ ଏତେ !
ପ୍ରସନ୍ନ କୁମାର ମାଦଳା