ରେଳ ଉପରେ ଚିଲିକା ଦର୍ଶନ 3
ରେଳ ଉପରେ ଚିଲିକା ଦର୍ଶନ 3
ଉତ୍କଳ ମଣି ଗୋପବନ୍ଧୁ ଦାସ
ରହ ରହ କ୍ଷଣେ ବାଷ୍ପୀୟଶକଟ,
ଦେଖିବି ଚିଲିକା ଚାରୁ ଚିତ୍ରପଟ ।
ଚିତ୍ର ମଣେ ଯେଣୁ ନାହିଁ ଅନୁଭବ,
ବାସ୍ତବ ବିଶ୍ବେ କି ଏ ଛବି ସମ୍ଭବ ?
ନୀଳ ବୀଚିମାଳା ଧୀରେ ଧୀରେ ଯାଏ,
ଲାଗଇ ସ୍ବପନେ ଦେଖିଲା ପରାଏ ।
ସନ୍ତରନ୍ତି ବକ୍ଷେ ପକ୍ଷୀ ଦଳ ଦଳ,
ଓଲଟିଣ ତଳେ ଦିଶନ୍ତି ଯୁଗଳ ।
ଘୋର ନାଦେ ଯହୁଁ ଉଠିଲେ ସେ ନଭେ,
ଉଠେ ଶତ ଖଗ ଚିଲିକା-ଗରଭେ ।
ସତ୍ୟ ବୋଲି ମନେ ନ ହେଉ ପ୍ରତୀତ,
ପଲକେ ସେ ଦୃଶ୍ୟ ହୁଏ ତିରୋହିତ ।
ଦୂରେ ଘେନିଯାଏ ନିଦାରୁଣ ଯାନ,
ଆସେ ପୁଣି ତରୁ ଶିଳା ବ୍ୟବଧାନ ।
ନିମିଷେ ଲୁଚାଏ ନିମିଷେ ଦେଖାଏ,
ସ୍ବପ୍ନଲଭ୍ୟ ପ୍ରିୟ ପ୍ରତିମା ପରାଏ ।
କାହିଁ ଦିଶେ ନୀଳ କାହିଁ ସୁଶ୍ୟାମଳ,
କାହିଁ ବା ଧୂସର କାହିଁବା ଧବଳ ।
ନାନା ସ୍ଥାନେ ନାନା ରଙ୍ଗେ ଦୀର୍ଘକାୟା,
ପ୍ରକାଶି ଚିଲିକା କରୁ କେତେ ମାୟା ।
ଦେବୀ ବୀଣାପାଣି ଶାଶ୍ବତ ସେବକ
କବି ରାଧାନାଥ ସୁଷମା-ଗ୍ରାହକ,
ଭ୍ରମି ବହୁ ସ୍ଥାନ ବିଶାଳ ଭାରତେ,
ବହୁ ନଦୀ ମରୁ କାନନ ପର୍ବତେ,
ଦେଖିଲେ ପ୍ରକୃତି ବିବିଧ ପ୍ରକାଶ
କିନ୍ତୁ ଶୋଭାଲୁବ୍ଧ ଶୁଦ୍ଧ ଅଭିଳାଷ ।
ସୁଖ-ଶାନ୍ତି-ପ୍ରୀତି କାହିଁ ଏକାଧାରେ
ନ ପାଇଲେ ଯଥା ମିଳେ ତୋହଠାରେ ।
ଉତ୍କଳର ତୁହି ସୌନ୍ଦର୍ଯ୍ୟର ଖଣି,
ସାରସ୍ବତ ନେତ୍ରେ ବାଛି ତହୁଁ ମଣି ।
ସୁଦକ୍ଷ ବିନ୍ଧାଣି ରଚି ଯେଉଁ ହାର
ଅର୍ପିଲେ ଉତ୍କଳ ଭାରତୀ ଗଳାର,
ଚିରଦିନ ତାହା ରାଜିବ ରୁଚିର,
ତା ଦେଖି ଭାବୁକେ ଲୋଡ଼ିବେ ତୋ ତୀର
ମୁଁ ଅଧମ ମୋର ଭାବୁକତା ନାହିଁ
ତଥାପି ଏ ପ୍ରାଣ କେ ଜାଣେ କିପାଇଁ
ନିରନ୍ତର ଲୋଡ଼େ ସୌନ୍ଦର୍ଯ୍ୟ ବ୍ୟାକୁଳେ,
ତେଣୁ ଭାବିଥିଲି ଆସି ତୋର କୂଳେ
ଦେଖିବି ତୋ ଶୋଭା ଦିନେ ନିକାଞ୍ଚନେ,
କର୍ମ-ବନ୍ଧେ ଥିଲା ମନ କଥା ମନେ,
ଏତେକାଳ ଅନ୍ତେ ପଡ଼ିଥିଲା ଯୋଗ,
ଆହା ସେ ସୁଯୋଗ ହେଲା କାହିଁ ଭୋଗ !
ସମାପ୍ତ