ତୁ ମନେ ପଡୁ
ତୁ ମନେ ପଡୁ
ତୁ ମନେ ପଡୁ ଆଜି ଭାରି
ଯେବେ ମୁଁ ଚାଲୁ ଚାଲୁ ଏକା ଗଲି ହୋଇ,
ପଥିକ ଥିଲୁ ଗୋଟିଏ ପଥ'ର
ଖୋଜେ ଆଜି ହେଲେ ତୁ ନାହୁଁ କାହିଁ?
ଅତୀତର ଖାଲି ତୁହି
ସ୍ମୃତିଟିଏ ହୋଇଗଲୁ ରହି,
ଯେବେ ବି ମନେ ମୋ ହୁଏ ତୋ ଆଗମନ
ନୟନ ମୋ ଓଦା କାହିଁପାଇଁ।
ଖୋଜୁଛି ବୋଧେ ସେ ପୁଣି
ତୋର ମିଠା ସ୍ମୃତି,
ଫେରିବନି ଜାଣିବି ଦିନ ଅତୀତର
ଏବେବି ଲିଭି ନାହିଁ ଯାର ତାତି।
ଆସିଥିଲୁ ନେଇ
ନୂଆ ଦୁନିଆର ଅନୁଭବ ହୋଇ,
ମୁଁ ବି ଥିଲି ଭାରି ଖୁସି
ତୋ ଅନୁଭବର ପରଶ ପାଇ।
ତୋ ମିଠା ମିଠା କଥା
ତୋ ଆପଣାର ଡାକ,
ନେଇଥିଲା ବାନ୍ଧି ତୋ ସାଥିରେ
ଗଢିଥିଲା ଏକ ପ୍ରୀତିର ସମ୍ପର୍କ ।
ମଣୁଥିଲି ସବୁଠାରୁ ଭାଗ୍ୟବାନ ନିଜକୁ
ରଖୁଥିଲି ସାଇତି ପ୍ରତି ମୁହୂର୍ତ୍ତକୁ,
ଅଜାଡି ଦେଇଥିଲୁ ସତେ
ଦୁନିଆର ସବୁ ସୁଖ ମୋରି ଭାଗ୍ୟକୁ।
କୋଉ ଅଜଣା ଦିଗୁ କାହିଁ ଆସିଲା ମାଡି
କଳା ବାଦଲର ଛାଇ,
ଘୋଟିଗଲା ଚିର ଅନ୍ଧକାର
ବିଶ୍ଵାସ ଗଲା ହାରି ସମ୍ପର୍କକୁ ଦେଲା ମାରି।
ସବୁ କଥା ସବୁ ପ୍ରତିଶ୍ରୁତି
ଗଲା ସବୁ ହୋଇ ପାଣିର ଫୋଟକା,
କ୍ଷଣିକେ ସାଜିଲା ଭଗ୍ନର ସ୍ତୂପଟିଏ,
ଦେଖୁଥିଲି ହୋଇ ନିସ୍ତବ୍ଧ ଜର୍ଜରିତ ଜଳକା।
ଆତ୍ମା କି ସତେ ଦେହୁ
ଅଲଗା ଯାଇଥିଲା ହୋଇ,
ଶବ ପ୍ରାୟ ମୁହିଁ
ରହିଥିଲି ହୋଇ ।
ଚାହୁଁଥିଲି ଗଢିବାକୁ ପୁଣି ଥରେ
ଭଗ୍ନ ପ୍ରାୟ ବାଲିଘର,
ଯହିଁ ବଇରି ସାଜି ଦରିଆ ଢେଉ
ଦେଉଥିଲା ଦଗା ବାରମ୍ବାର।
ମୁଁ ଚାହୁଁ ଥିଲି କିନ୍ତୁ ଚାହୁଁ ନଥିଲୁ ତୁ
ଭୁଲ କି ଥିଲି ମୁଁ ନା ଭୁଲ୍ ଥିଲୁ ତୁ,
ଆଜି ବି ମୁଁ ପ୍ରସ୍ତୁତ ସବୁ ଦୋଷ ନେବାକୁ ମୁଣ୍ଡାଇ,
ତୁ ପାରିବୁକି ପୁଣି ଥରେ
ମୋ ସାଥିରେ ମୋ ରାସ୍ତାରେ ଆଗେଇ।
ନା ରହିଛି ଟିକିଏ ଭରସା
ନା ବଞ୍ଚିଛି ଟିକିଏ ଆଶା,
ସମୟ କଲା ପରିସ୍ଥିତିର ଦାସ
ବନ୍ଦୀ ନେଲା କରି ବୁଣି ନାଗ ଫାସ।
ଶତ ଚେଷ୍ଟିତ ଥିଲି
ମୁକୁଳିବାକୁ ସମୟର ଫାସୁ,
ବଳଶାଳୀ ସମୟକୁ ଜିତିବା କ'ଣ ଏତେ ସହଜ
ଯାଇଥିଲି ପୁଣି ନେଇ ବିନା ଆତ୍ମାର ଦେହ ଲଢିବାକୁ।
ହୁଏତ ଜିତି ଯାଇଥାନ୍ତି
ତୁ ରହିଥିଲେ ସାଥିରେ,
ଭାବିକି ଅବା କି ଲାଭ
ଯାହା ଆଉ ନାହିଁ ନିଜ ଆୟତରେ।
ଆଜି ମନେ ପଡୁ ତୁ ଭାରି
ଯେବେ ଲାଗେ ଜୀବନ ପଥରେ ମୁଁ ଏକା ଏକା,
ତଥାପି ଚାହେଁ ନି ଫେରିବାକୁ ପଛକୁ
ଯୋଉଠି ଯେମିତି ଅଛୁ ତୁ ଭଲରେ ଥା।
ଯୋଉଠି ଯେମିତି ଅଛୁ ତୁ ଭଲରେ ଥା। ।
++++++++++××××+++++××××+++
ଜିତେନ୍ଦ୍ର କୁମାର କହଁର,ଶିକ୍ଷକ(କଲାଡି,ଫୁଲବାଣୀ)
ଦୂରଭାଷ - ୯୪୩୯୫୪୨୫୨୧