ମୁଁ କବିଟିଏ
ମୁଁ କବିଟିଏ
ବକ୍ତା ନୁହେଁ ମୁଁ କବିଟିଏ ଅବ୍ୟକ୍ତର ବ୍ୟକ୍ତ ଛବିଟିଏ
ବିକ୍ଷିପ୍ତ ଆଶାର ମୁଁ ମୁକ୍ତ ମଶାଲ
ଭବିଷ୍ୟ ଉଦୟ ରବିଟିଏ ।
ତପ୍ତ ଉଷରେ ମୁଁ ଜଳବିନ୍ଦୁ ଛବିଳ ଆକାଙ୍କ୍ଷା କଳ ସିନ୍ଧୁ
କଲ୍ଲୋଳିତ ତାନେ ହିଲ୍ଲୋଳିତ ମନେ
ସର୍ବ ସଙ୍ଗ ସୁଖ ଚାହେଁ ବନ୍ଧୁ ।
ମୋ ଦୁଆରେ ଆସେ ଚଇତାଳି ଆସଇ ବସନ୍ତ କୁତୁହଳୀ
ମାଘ ବାଘ ଶୀତ ଶରତ, ହେମନ୍ତ
ଫୁଲେଈ ବରଷା ମତୁଆଳି ।
ମୋତେ ବି ଛୁଉଁଛି ସୁଖ ଦୁଃଖ ମୋତେ ବି ଲାଗଇ ଶୋଷ ଭୋକ
ସ୍ବାର୍ଥର ନିଶାରେ କାହାରି ଆଶାରେ
ଆଧିପତ୍ୟ, ଭାବେ ଅବିବେକ ।
ମୁଁ ବି ହାଡ଼ ମାଂସ ରକ୍ତ ଧରା ମୁଁ ବି ତୁମ ପରି ମାୟାଘେରା
ବଞ୍ଚିବାର ମୋହେ ଭିନ୍ନ ଆମେ ଦୁହେଁ
ତୁମେ ସ୍ଥିର ମୁଁ ଯେ ମସୀଝରା ।
ବଞ୍ଚିବାର ମୋହ ମୋର ବେଶି ମନ ବିବେକକୁ ଯାଏ କଷି
ପୋଡୁ ଜୁଇ ନିଆଁ ନୁହେଁ ମୁଁ ଛାନିଆଁ
ଥିବି ଯାବତ୍ ଥିବେ ଭାଷାଭାଷୀ ।
ମୋ ହୃଦୟଭାବ ଉଦ୍ଗୀରଣ କରି ପାରିନାହିଁ ସମ୍ବରଣ
ତୁମକୁ ରସାଏ କନ୍ଦାଏ ହସାଏ
ମୋ ଲେଖନୀ ମସୀ ପ୍ରସବଣ ।
ମୋ କଳ୍ପନା ଯେବେ ରୂପ ଧରେ ଅଳୀକତା ମୋର ଦ୍ବାରେ ହାରେ
ଅମୃତ ପଖଳା ମୋ ଭାବର ମାଳା
ବ୍ୟସ୍ତ ଜନମନ ହରିବାରେ ।
ପ୍ରକୃତି ମୋହର ବଡ଼ ଗୁରୁ ହୃଦେ ଭରେ ନବ ଭାବ ଚାରୂ
କା' ସ୍ବାର୍ଥ ଗବାକ୍ଷେ ଦେଖିବାକୁ ଟିକେ
ଚାହେଁନା ଜୀବନୁ ବେଳ ସରୁ ।
ଉଚିତେ ଉଚିତ ସମାହିତ ଏହା ମୋ ଚିନ୍ତନ ମୂଳମନ୍ତ୍ର
ବିଘଟଣେ ହୃଦ ହୁଏ ଶରବିଦ୍ଧ
ପ୍ରାୟ, ହୋଇରୁହେ ମର୍ମାହତ ।
ଗୀତିମୟ ସିନା ମୋ ଚିନ୍ତନ ତୁମେ କରିବ ତା' ମୂଲ୍ୟାଙ୍କନ
ତୁମ ଦରବାରେ ନିର୍ଭିକ ଭାବରେ
ସମୄବନ୍ଧଟା ହେଉ ରୂପାୟନ ।
ତୁମରି ଭିତରୁ ମୁଁ ବି ଜଣେ ଛନ୍ଦେ ବାନ୍ଧେ ସିନା ମୋ ଚିନ୍ତନେ
ତୁମରି ବିଚାର ମତାମତ ଧାରେ
ଲେଖନୀ ରହିବ ପ୍ରୋତ୍ସାହନେ ।
ତୁମେ କୁହ ମୁଁ କବିଟିଏ ତୁମ ମୂଲ୍ୟାୟନ ଛବିଟିଏ
ହେଲେ ମୁଁ ବିଚାରେ ତୁମ ଏକାନ୍ତରେ
ତୁମ ଭାବେ ଯେହ୍ନେ ଦ୍ରବି ରୁହେଁ ।