ବନ୍ଧନ
ବନ୍ଧନ
ଜାଣିଛ ଉର୍ମିଳା
ଏଇ ଅଳ୍ପକିଛି ବ୍ୟବଧାନରେ
ହଜିଲା ମେଘ ଆଜି ଭାସମାନ
ବର୍ଷା ବି ହୋଇନି ବୋଧେ, ଦେଖ
ଶିହରି ଉଠିଥିବା ମାଟିର ବାସ୍ନା ବଦଳିଲାଣି
ସଦ୍ୟସ୍ନାତା ରଜବତୀ ଭଳି ,
ବନ୍ଧନର ଏ ପ୍ରାଚୀନ ଶୃଙ୍ଖଳ କଣ
ଛିଡେନି କି କେବେ ?
କାହିଁକି ଯେ ଏମିତି ହୁଏ
ଏହା ହିଁ ତାହେଲେ ଶୀତଳ ଦହନ ନା କଣ ?
ଦୀର୍ଘବର୍ଷ ତଳେ ଯେମିତି
ତୁମ ସତ୍ୟବତୀ ରୂପ ପାଇଁ
ଖଇଫୁଟା ଜ୍ବରରେ ପୀଡିତ ହୋଇ ସୁଦ୍ଧା
ଧର୍ମାବତାର ସାଜିବାକୁ ବାଧ୍ୟ ଥିଲା କେହି ?
ସେଥରର ଅଗ୍ନିପରୀକ୍ଷା ସତ ଥିଲା କିନ୍ତୁ
ପ୍ରଥମ ଥର ପରେ ବାକି ଥର ଯାକ
ପତଙ୍ଗ ପ୍ରାୟ ଆତ୍ମାହୂତି ଦେବାକୁ
ତିଳେ ତିଳେ ବିକଳାଙ୍ଗ ହେବା ଅଭିଳାଷରେ
ଅଭିନୟ ନଥିଲା କି ସବୁକିଛି ?
ତଥାପି ତୁମ ବୁଝିବା ଜ୍ଞାନ ପୂର୍ବରୁ
ତୁମେ ଦେବଯାନୀ ସାଜିଗଲ
ଶୃଙ୍ଖଳାରେ ବନ୍ଧା କଚ ପାଇଁ
ଏବେର ସହାନୁଭୂତି ତ ନିଷ୍ପ୍ରୟୋଜନ ନା !
ଯାତନାରେ ଦହଗଞ୍ଜ ହେବା ହିଁ
ପ୍ରେମ ନା କଣ ଯେ
ଜଳିବା କି ଜାଳିବାର ସମ୍ଭାବନା ଘେରରେ
ବାରମ୍ବାର ହଜିବା କି ହଜାଉଥିବା
ଅଥବା ଅହରହ ଜୀବନ ଜୁଇର
ଏକ ଅଣନିର୍ବାପିତ ଜ୍ବାଳାରେ
ବିବ୍ରତ ଓ ସନ୍ତାପିତ ରହିଥିବା ପ୍ରାଣ ପାଇଁ ?
ମୋତେ ବି ଏବେ କମ୍ପଜ୍ବର
ଆଉଥରେ ଭିଜି ଭିଜି ମରିବାଠୁ
କବାଟ କିଳି ଘୋଡେ଼ଇ ଘାଡେଇ
ଏକାକୀ ଥରୁଥିବା ଭଲ ।
ପ୍ରସନ୍ନ କୁମାର ମାଦଳା