ପରକୀୟା
ପରକୀୟା
ପରକୁ ଆପଣା କରି ସେ ଶିଖିଛି
ଏଇ ମାଟି ଆର୍ଯ୍ୟ ଭୂଇଁ
ପର ଦୁଃଖେ ଦୁଃଖୀ ପର ସୁଖେ ସୁଖୀ
ସମର୍ପିତା ବିଶ୍ବ ପାଇଁ ।।
ସନାତନ ଧର୍ମ ଚନ୍ଦନ ମହକ
ବଳିଦାନ ଗାଥା ଗାଏ
ଭକ୍ତି ପ୍ରେମ ର ଅର୍ଘ୍ୟ ଥାଳି ଧରି
ମୁକ୍ତିର ସନ୍ଦେଶ ଦିଏ ।।
ମଧୁର ସଂସ୍କୃତି ପୁଣ୍ୟ ପରମ୍ପରା
ଗରିମା ରେ ଗରୀୟାନ
ବେଦର ଝଂକାର ଅମୃତେ ବିଭୋର
ଗାଏ ନାରୀ ସ୍ବାଭିମାନ।।
ନାରୀ ଭାଗ୍ୟଶୀଳା ନାରୀ ପ୍ରେମଶୀଳା
ନାରୀ ତ ବେଦ ସମ୍ଭୁତା
ନାରୀ ଜୈତ୍ରଗୀତି ଗାଏ ଏ ଧରିତ୍ରୀ
ଆବାହନୀ ସ୍ବାଗତିକା ।।
ଓଁ କାର ଧ୍ବନୀ ରେ ଭରିଛି ପୂର୍ଣ୍ଣତା
ନାରୀ ନାମେ ପବିତ୍ରତା
କୂଳବଧୁ ସାଜେ କୁଳହିତା ପାଇଁ
ପତିପ୍ରାଣା ପତିବ୍ରତା ।।
ଆଇନ ଭାଙ୍ଗିଲା ପବିତ୍ର ସମ୍ପର୍କ
ପତି ପତ୍ନୀ ପରମ୍ପରା
ଦେଢଶ ବର୍ଷ ର ନିଆରା ସଂସ୍କୃତି
ହେଲା ଯାହା ଦିଗହରା ।।
ସ୍ବାଧୀନତା ନାମେ କଳଙ୍କ ଲାଗିଲା
ନାରୀ ହେଲା ପଣ୍ୟାଙ୍ଗନା
ପରକୀୟା ପ୍ରୀତି ଆଇନତଃ ସିଦ୍ଧ
ପାପରେ ହେବନି ଗଣ୍ୟା ।।
ଆକାଶେ ଉଡିବ ସାଗରେ ବୁଡିବ
ଲଂଘିବ ଦୁର୍ଗମ ଗିରି
ସୀମା ସରହଦ ରହିବନି ତା'ର
ଉନ୍ମୁକ୍ତ ଗୁପ୍ତ ପଂଜୁରି ।।
ଗୋଟିଏ ଶଯ୍ୟାର ନାୟିକା ସେ ନୁହେଁ
କୋଟିଏ ଶଯ୍ୟା ନାୟିକା
ପତି କର୍ମ ପତି ଧର୍ମ ପତି ସ୍ବର୍ଗ
ରହିଗଲା ଆଖ୍ୟାୟିକା ।।
ଇହକାଳ ପରକାଳର ଦେବତା
ପଡିଗଲା ଯବନିକା
ପତ୍ନୀ ତାଙ୍କ ଏବେ ଜଗତ ଭ୍ରମିବେ
ପତିଙ୍କୁ ଲଗାଇ ଧୋକା ।।
ପ୍ରଗତି ନାମରେ ଦୁର୍ଗତି କି ଏହା
ବନ୍ଧା ସମୟର ହାତେ
ପତ୍ନୀ ଧର୍ମ ଏବେ ପତି ପାଇଁ ନୁହେଁ
ସମର୍ପିତ ବିଶ୍ବ ହିତେ ।।
-------------------'
ଶରତ କୁମାର ଦାସ