ପଖାଳ ରହସ୍ୟ
ପଖାଳ ରହସ୍ୟ
ବଳଭଦ୍ର କହୁଛନ୍ତି ଜଗା ଆଡେ ଚାହିଁ
ଆସିଗଲା ଝାଂଜି ଖରା କି କରିବା ଭାଇ !
ଜଗନ୍ନାଥ ସ୍ମିତ ହସି ବୋଲନ୍ତି ଉଦନ୍ତ
ପଖାଳ ମହିମା ଶୁଣ ଭାଇ ବଳବନ୍ତ ।
ଶୀତଦିନେ କାଂଜି ଆଉ ଗ୍ରୀଷମେ ଛତୁଆ
ପଣା ପୋଡପିଠା କରେ ବିଜ୍ଞାନୀ ଓଡିଆ ।
ସଂସାରର ସବୁଠାରୁ ଦୁର୍ଲଭ ପଖାଳ
ଖାଈ ଆରମ୍ଭ କରିବ ତୁମ୍ଭର ସକାଳ ।
ଆମ୍ଭ ଟଂକ ତୋରାଣିରୁ ତାହାର ଉତ୍ପତ୍ତି
ବିଶ୍ଵରେ ଅନ୍ୟ କେ ସ୍ଥାନେ ଅଗୋଚର ଅତି ।
ସରଳ ପ୍ରସ୍ତୁତି ଯେଣୁ ହେଉଛି ବିସ୍ତାର
ହୋଟେଲ ବାଲାଏ ତାକୁ କରନ୍ତି ପ୍ରସାର ।
ଖାଇସାରି ଅନ୍ନ ମାଟି ହାଣ୍ଡିରେ ରଖିବ
ପେଜ ପାଣି ତହିଁରେ ଅଳପ ମିଶାଇବ।
ସକାଳୁ ପଲମ ଧୀରେ ଟେକିଲେ ଦେଖିବ
ସୁବାସ ତାହାର ଚଉଦିଗ ଚହଟିବ ।
ଇଛା ମତେ ଲୁଣ ଦେବ ଲେମ୍ବୁ ଟିକେ ଦଳି
ମାଟି ପଲମରୁ ବସାଦହି ଅଳ୍ପ ଢାଳି ।
ଆମ୍ବକଷି ତହିଁରେ ଭଂଗା ହୋଇଥିବ
ପୁଦିନା ସାଥିରେ ଲଂକା ଦଳା ହୋଇଥିବ ।
ସାଥେ ଥିବ ଚଟଣି ଭରତା ଶାଗ ଭଜା
ବଡ଼ିଚୁରା ଛୁଇଁ ଭଜା ଆମ୍ବୁଲଟି ଖଂଜା ।
ତୁଣ୍ଡପୋଡା ପତ୍ର ଥିବ ଓଲୁଅ ଚଟଣୀ
ନିମକଢ ଭଜା ସାଥେ କିଛି ଛଣାଛଣି ।
ଦୁଃଖୀର ସାଥିଟି ଲୁଣ ଲଂକା ଓ ପିଆଜ
ଭାତ ନଷ୍ଟ ହେବ ନାହିଁ ବାସି ହେଉ ସଜ ।
ଖାଇସାରି ଢକଢକ ପିଇବ ତା ପାଣି
ମହୌଷଧି ଅଟେ ପରା ଖରାକୁ ତୋରାଣୀ ।
ଶୀତ ଦିନେ ବାଡିପଟେ ଖରା ପିଠି କରି
ଘରଣୀ ମାନେ ବସନ୍ତି ପଖାଳ ଆବୋରି ।
କନ୍ୟା ଯେବେ ବାହାହୋଇ ବାପଘରୁ ଯାଏ
ତୋରାଣୀଖିଆ ବିଧାନ ସମାହିତ ହୁଏ ।
ଜଗତରେ ଧୀରେ ଧୀରେ ମହିମା ପ୍ରକାଶ
ବିଂଶ ମାର୍ଚ୍ଚ ପାଳେ ବିଶ୍ୱ ପଖାଳ ଦିବସ ।
ଜଗନ୍ନାଥ କହି ସାରି ମୁରୁକି ହସନ୍ତି
ଲକ୍ଷ୍ମୀ ଟଂକ ତୋରାଣିଟି ବାଢି ଦେଉଥାନ୍ତି ।