ମୁଁ ଯାତ୍ରା ଦଳର ପରୀ
ମୁଁ ଯାତ୍ରା ଦଳର ପରୀ
ମୁଁ ଗୋଟେ ଝିଅ ଅଠର ବର୍ଷୀୟା
ଯାତ୍ରା ଦଳର ପରୀ
ମୋ ନାଚିବା ଗାଇବା ଦେଖି ସମସ୍ତେ
ବସି ମାରନ୍ତି ତାଳି ।
ମୁଁ ଯାତ୍ରା ଦଳର ପରୀ ॥
ଦେହ ପଲ୍ଲବ ଯେତିକି ହଲାଏ
ସେତିକି ବାହାବା ପାଏ ମୁଁ ହେଳାଏ
ବୃଦ୍ଧ ଯୁବକ ଶିଶୁମାନେ ବସି
ହସି ମାରନ୍ତି ତାଳି ।
ମୁଁ ଗୋଟେ ଝିଅ ଅଠର ବର୍ଷୀୟା
ଯାତ୍ରା ଦଳର ପରୀ ।
ତନଖି ଦେଖୁଛ ଯୌବନ ମୋର
ଅଙ୍ଗେ ଉଠୁଛି ଢେଉ କେତେ ଜୋର
ରଙ୍ଗ ଲଗାଏ ସଳ୍ପ ବସନେ
ଦେଖି ତୁମ ମନ ଯାଏ ଭରି ॥
ମୁଁ ଗୋଟେ ଝିଅ ଅଠର ବର୍ଷୀୟା
ଯାତ୍ରା ଦଳର ପରୀ ।
ଅନାଇଛ କେବେ ମୋର ଜୀବନକୁ
ଦେଖିଛ କି କେବେ ମୋର ହୃଦୟକୁ
ଦେଖି ହସମୁହ କ’ଣ ଭାବିଲଣି
ଜାଣିଲେ ଉଠିବ ଡରି ।
ମୁଁ ଗୋଟେ ଝିଅ ଅଠର ବର୍ଷୀୟା
ଯାତ୍ରା ଦଳର ପରୀ ।
ଦାରିଦ୍ରତାର ବଡ଼ ଉପହାରେ
ଜୀବନ ସଂପିଲି ଯାତ୍ରାର ଦଳେ
ପାରିଶ୍ରମିକ, ସେ କଥା କୁହନା
ମୁଁ ଏକ ରାତର ପରୀ
ମୁଁ ଗୋଟେ ଝିଅ ଅଠର ବର୍ଷୀୟା
ଯାତ୍ରା ଦଳର ପରୀ ।
ନିଦ ହୀନ ରାତି ତା’ପରେ ସକାଳ
କୁଜନ ଶବ୍ଦ କାନେ ଆସେ ମୋର
ପ୍ରଭାତ ରବିର ନବୀନ କିରଣେ
ନୀରବ ଜୀବନ ତରୀ ।
ମୁଁ ଗୋଟେ ଝିଅ ଅଠର ବର୍ଷୀୟା
ଯାତ୍ରା ଦଳର ପରୀ ।
ତୁମେ କହୁଥିବ ମୁଁ କଳାକାର
ଜୀବନ ମୋହର ଏକ ଯାଯାବର
ହୃଦୟଙ୍ଗମ କରିଛ କି କେବେ
ଏହି ବୋଝ କେତେ ଭାରୀ ।
ବାବୁମାନେ ଟିକେ ଶୁଣ ମୋ କଥା
ମୁଁ ହେଲି ରାତର ପରୀ ।
ମୁଁ ଗୋଟେ ଝିଅ ଅଠର ବର୍ଷୀୟା
ଯାତ୍ରା ଦଳର ପରୀ ।