ହେ ଗାନ୍ଧୀ
ହେ ଗାନ୍ଧୀ
ହେ ଗାନ୍ଧୀ !
ତୁମେ ଆସ ଆଉଥରେ
ଅହିଂସାର ମନ୍ତ୍ର ନେଇ
ହିଂସାରେ ଆଜି ଜଲୁଛି ଭାରତ
ଅହିଂସା ତ ଜମା ନାହିଁ।
ଅଖଣ୍ଡ ଭାରତ ଆଜି ଖଣ୍ଡ ଖଣ୍ଡ
ଏକତା ତ ଏଠି ନାହିଁ
ସୀମାନ୍ତରେ ଆଜି ମରୁଛି ସୈନିକ
ଶାନ୍ତି ଚୁକ୍ତି ଗଲା କାହିଁ ।
ଧର୍ମ ନାମରେ ଚାଳୁଛି ବେପାର
ଧର୍ମ ନାମେ ରାଜନୀତି
ଭାତୃତ୍ୱର ଭାବ ବିଶ୍ୱ ଏକତା
ଆଉ ଏଠି ଜମା ନାହିଁ ।
ଧର୍ମ ଗୁରୁ ଆଜି ସାଜିଛି ରାବଣ
ପାପ ସ୍ୱର୍ଣ୍ଣ ଲଙ୍କା ଗଢି
ସତୀ ନାରୀଙ୍କର ସତୀତ୍ୱ ଚୋରାଏ
ମିଛ ପ୍ରତିଶ୍ରୁତି ବାଢି।
ରାଜନୀତି ଆଜି ସାଜିଅଛି କାଳ
କ୍ଷମତାର ସ୍ୱାର୍ଥ ବରି
ନିରୀହ ଜନତା ନିଇତି ଏଇଠି
ଶିକାର ସାଜେ ତାହାରି ।
ନାହିଁ ଶାନ୍ତି ଏଠି ନାହିଁ ତ ଶୃଙ୍ଖଳା
ହିଂସାବାଦୀର ରାଜୁତି
ଗରୀବର ପାଇଁ କେବଳ ଯୋଜନା
ହେଲେ ମିଳେ ନାହିଁ କିଛି ।
ସ୍ୱାଧୀନ ହୋଇନି ଆଜିବି ଭାରତ
କାନ୍ଦେ ଆଜି ମଥା ପିଟି
ପୁଞ୍ଜିବାଦୀ ହାତେ ଆଜିତ ଶାସନ
ବିଷପିଇ ମରେ ଚାଷୀ ।
ଶହ ଶହ ଆଜି ଯୁବକ ଯୁବତୀ
ସାଜିଛନ୍ତି ତ ବେକାରୀ
ଶିକ୍ଷା ବ୍ୟବସ୍ଥା ତ ସାଜି ଅଛି ପଙ୍ଗୁ
ଖାତିର ନାହିଁ କାହାରି ।
ଗାଁ ଆଉ ଆଜି ଗାଆଁ ହୋଇ ନାହିଁ
ଏକତା ଗଲାଣି ଭାଙ୍ଗି
ରାଜନୀତିର ଏ କରାଳ କବଳେ
ଖଣ୍ଡ ବିଖଣ୍ଡିତା ହୋଇ ।
କୃଷିକାର୍ଯ୍ୟ ଛାଡି ଆଜି ତ କୃଷକ
ଯାଉଛି ଦାଦନ ଖଟି
ମା' ବିକେ ଆଜି ଆପଣା ଛୁଆକୁ
ଗଣ୍ଡାଏ ଖାଇବା ପାଇଁ ।
ଆଜିବି ତ ନାରୀ ହେଉଛି ଲାଂଛିତା
ମାଗେ ନ୍ୟାୟ ମଥା ପାତି
ଇଜ୍ଜର ସାଙ୍ଗରେ ଖେଳାହୁଏ ଖେଳ
ପ୍ରଶାସନ ମୂକ ସାକ୍ଷୀ ।
ସାଧାରଣ ପାଇଁ ନାହିଁ ଏଠି କିଛି
ଲାଞ୍ଚ ଏଠି ସବୁକିଛି
ସ୍ୱାଧୀନତା ଥାଇ ଆଜି ପରାଧୀନ
ଦେଖି ଯାଅ ଥରେ ଆସି ।।
ହେ ଗାନ୍ଧୀ!!! ! ତୁମେ ଆସ ଆଉଥରେ
ଅହିଂସାର ମନ୍ତ୍ର ନେଇ........।