ସାହିତ୍ୟ ତା'ର ନାଆଁ
ସାହିତ୍ୟ ତା'ର ନାଆଁ
ସମାଜ ହିତ କରଇ ବୋଲି
ସାହିତ୍ୟ ତା'ର ନାଆଁ ,
ସବୁଠି ତା'ର ଆଦର ଭାରି
ଦେଶ,ବିଦେଶ ଗାଆଁ ।
ସହର ଠାରୁ ବଣ-ଜଙ୍ଗଲ
ଅଛନ୍ତି ଗୁଣଗ୍ରାହୀ ,
ସାହିତ୍ୟ ପ୍ରେମୀ ଯେତେ ତାଙ୍କର
ସଂଖ୍ୟା ହେବନି କହି ।
ସମାଜ ହିତେ କବି,ଲେଖକ
ସୃଜନ୍ତି ତାଙ୍କ ସୃଷ୍ଟି ,
ଅନେକ ତଥ୍ୟ ଜଣାନ୍ତି ଆନେ
ଚାଳି ଲେଖନୀ ଗୋଟି ।
ବେଦ, ପୁରାଣ,ଶାସ୍ତ୍ର ସବୁର
ମହିମା ଆମେ ଗାଉ ,
ପାଠ କରିକି ଦିଗଦର୍ଶନ-
ଆତ୍ମସନ୍ତୋଷ ପାଉ ।
ଭାଗବତର ରସରେ ବୁଡ଼ି
ଭାବରେ ଯାଉ ମଜି ,
ସେସବୁ ଗ୍ରନ୍ଥ ଅମରି ହିତେ
ଅଛନ୍ତି କବି ସୃଜି ।
ଫକୀର ଆଉ ଗୌରୀଶଙ୍କର
ମଧୁସୂଦନ ସାଥେ ,
ଆମରି ଭାଷା ସୁରକ୍ଷା ଲାଗି
ଲଢ଼ି ଅଛନ୍ତି କେତେ ।
ତାଙ୍କରି ଶ୍ରମ ସାଧନା ବଳେ
ଆମରି ଭାଷା ବଞ୍ଚି ,
ଆମକୁ ଦିଏ କେତେ ସାହିତ୍ୟ
ରଖିଛି ଯାହା ସଞ୍ଚି ।
ଆଜି ବି ବହୁ କବି-ଲେଖକ
ସାଧନା ଜାରି ରଖି ,
ପାଠକ ହିତେ ଭେଟି ଦିଅନ୍ତି
ସାହିତ୍ୟ ସବୁ ଲେଖି ।
ସାହିତ୍ୟପ୍ରେମୀ ସେସବୁ ପଢ଼ି
ଜାଣନ୍ତି ବହୁ କଥା ,
ପୁରାଣ ଠାରୁ ବିଜ୍ଞାନ ଆଉ
ରହସ୍ୟମୟ ଗାଥା ।
ସାହିତ୍ୟ ଲାଗି ଅନେକ କିଛି
ସମ୍ଭବ ହୁଏ ପରା ,
କଠିନ ଚିଜ ସହଜ ହୁଏ
ସହଜଟା ବି ଭାରା ।
ସଜାଗ ତେଣୁ ହୋଇକି ଆମେ
ସାହିତ୍ୟ ସ୍ରଷ୍ଟା ଯେତେ ,
ଲେଖନୀ ଆମ ଚଳାଇ ନେବା
ଏଇ ସମାଜ ହିତେ ।
ସକରାତ୍ମକ ଚିନ୍ତାକୁ ଆମେ
ଦେବାଟି ଯେବେ ଦୃଷ୍ଟି ,
ତା'ହେଲେ ଯାଇ ସମାଜ ହିତେ
ଲାଗିବ ଆମ ସୃଷ୍ଟି ।।
ବି. ନିରୁପମା
ମାମୁରିଆ, ଛେଣ୍ଡିପଦା,ଅନୁଗୋଳ ।