ଅଝଟ ନାୟିକା
ଅଝଟ ନାୟିକା
ମନ ଉପବନେ ହୃଦୟ କାନନେ
ଦେଖୁଥିଲି ତୁମ ଛବି,
ଶ୍ରାବଣ ଛିଟାରେ ତୁମେ ଭିଜୁଥିଲ
ଖୋଲିଦେଇ ପ୍ରେମ ଚାବି ॥
ନହୁଲି ତନୁରେ ଉପମା ମନ୍ଦିରେ
ବିରହର ନିଆଁ ଜାଳି,
ମୃଗ ନୟନରେ ଲୁଚି ଖୋଜୁଥିଲ
କରିବାକୁ ପ୍ରେମ କେଳି ॥
ଖସି ପଡୁଥିଲା ଅଂଗୁ ଆଭୁଷଣ
ଝୁରୁଥିଲା ପ୍ରେମ ବନ,
ବକ୍ଷ ପ୍ରଦେଶର ସଦ୍ୟ କୁଚକୁମ୍ଭ
ସତେ କି ପୁନେଇ ଜହ୍ନ ॥
ଠାଣିରେ ତୁମର କାମନା ତରଂଗ
ଓଠେଭରି କାମ ମଧୁ,
କଟିରେ ବୁହାଇ ପ୍ରେମର ବତାସ
ସାଜିଥିଲ ନବ ବଧୂ ॥
ପାଉଁଜି ତାଳରେ ବାନ୍ଧି ଧରିଥିଲ
ଅମାନିଆଁ ମନ ଡୋର,
ପ୍ରେମ ମନ୍ଦାକିନୀ ଝରି ଯାଉଥିଲା
ମନକୁ କରି ଅସ୍ଥିର ॥
ଗଜରା ଛିଟାରେ ତନୁ ଭିଜୁଥିଲା
ବହୁଥିଲା ପ୍ରେମ ବନ୍ୟା,
କଳା ବାଦଲର ଅଝଟ ଚପଳା
କରୁଥିଲା ବନ୍ଦାପନା ॥