ଜୀବନ ରାସ୍ତା
ଜୀବନ ରାସ୍ତା
ପଙ୍କଜିନୀ ଉପାଧ୍ଯାୟ। ( ମିତା )
ଅରଙ୍ଗାବାଦ
++++++
ଜୀବନ ଜିଇବା ସୁଖରେ ରହିବା
ବଞ୍ଚିବାର ଗୋଟେ କଳା
ଅନ୍ଯ ଦୋଷ ଗୁଣୁ ଶିକ୍ଷା ଲାଭ କରି
ଲଗାଅ ପ୍ରକୃତ ବେଳା ।
ଦୋଷ ଛାଡିଦେବା ଗୁଣକୁ ଦେଖିବା
ଗାଇବା ଗୁଣର ଜୟ
ଗୁଣେ ଗୁଣୀ ହେବା କାମ କରିଯିବା
ଗୁଣ ହେବନାହିଁ କ୍ଷୟ।
ସଂସାର ମାର୍ଗରେ ବିଚରଣ କରି
ଦେଖେ ସମାଜର କର୍ମ
ଶିକ୍ଷା ଲାଭକରି ସମାଜ ବୃକ୍ଷରୁ
ବାଣ୍ଟି ଚାଲିଥାଏ ଧର୍ମ।
ସାଧୁତାର ଗୁଣ ଈଶ୍ୱର ଲକ୍ଷଣ
ମାନବ ପାଲଟେ ସାଧୁ
ପୂଜା ପାଉଥାଏ ନାମ କରୁଥାଏ
ଜୀବନେ ମିଳଇ ମଧୁ।
ଆକାଶ ମେଘରୁ ଶିଖିବାର ଅଛି
ସାଧୁତା ଦିବ୍ୟ ଲକ୍ଷଣ
ଜଳୀୟବାଷ୍ପରେ ଶୋଷି ସବୁ ଜଳ
କରେ ମଧୁର ବର୍ଷଣ।
ମଧୁରତା କେବେ କ୍ରୁରତା ତ ନୁହେଁ
ସମ୍ପର୍କର ଏକ ମୋଡ
ଜୀବନ ରାସ୍ତାରେ ଚାଲିବାର ବେଳେ
ମଧୁରତା ସାଥେ ଯୋଡ।
ମଧୁର ଜୀବନ ମଧୁର ମନନ
ଜୀବନର ଦିବ୍ୟ ମୋହ
ମଧୁରତା ସାଥେ ମିତ୍ରତା କରିବା
ମଧୁର ଜୀବନଶ୍ରେୟ।
ଅନ୍ୟର ଗୁଣରୁ ଦୋଷ ବାଛି ବାଛି
ମଧୁକୁ କରେ ଗରଳ
ନୁହେଁ ସେ ସୁଜନ ନା ପ୍ରୀତିଭାଜନ
ପାଇବା ମଧୁର ଫଳ।
କ୍ଷୀର ପାନ କରେ ମଧୁରତା ଭରେ
କ୍ଷୁଧା ମେଣ୍ଟେ ବାରମ୍ବାର
ତଥାପି ଫଣୀର ମଧୁରତା ନାହିଁ
ଗରଳ ଛାଡିବା ସାର।
ଜୀବନର ରାସ୍ତା ଉଠାଣି ଗଡାଣି
ଚାଲିବାକୁ ନିଶ୍ଚେ ହେବ
ଏତେ ଲମ୍ବା ରାସ୍ତା ଅତିକ୍ରମ ବେଳେ
କାହିଁକି ପରା ଥକିବ ?
ଶିଖିଯିବା ସବୁ ମଧୁରତା କଳା
ମଧୁରତା ଗୁଣ ଶ୍ରେଷ୍ଠ
ତ୍ରିଛକି ରାସ୍ତାରେ ଅଟକିବା ନାହିଁ
ମଧୁରତାର ବଳିଷ୍ଠ।
ଅମର ଜୀବନ କିଏ ଅବା ଖୋଜେ
ସୁସ୍ଥ ଜୀବନଟେ ଲୋଡା
ଭଲ କାର୍ଯ୍ୟ ସାଥେ ମିତ ବାନ୍ଧି ଦେଇ
ଚଳାଅ ଜୀବନ ଘୋଡା।