ଝୁରେବା କାହିଁକି ନିତି
ଝୁରେବା କାହିଁକି ନିତି
ଝଡଝଞ୍ଜା ଲାଗି ଯିବ ବୋଲି ଭାଙ୍ଗି
ପକ୍ଷୀକି ନବାନ୍ଧେ ବସା
ଯାଉ ପଛେ ପୋଡି ଭାଲେ କର ଯୋଡ଼ି
ଚାଷ କି ନକରେ ଚଷା
ଶୂନ୍ୟେ କି ପୂରଇ କଂସା
ଭାଗ୍ୟ ଯେବେ ମନ୍ଦ ଗତି ହେଲେ ବନ୍ଦ
ହେଉଥାଇ ଲୋକହସା ।
ମଉଳିଲା ଫୁଲ ଝରି ହେଲେ ଠୁଳ
ଗଛରୁ ଲୁହ କି ଝରେ
କିଛି ମାଟିପାତ୍ର ଭାଙ୍ଗିଯାଏ ମାତ୍ର
କୁମ୍ଭାର ବସେ କି ଘରେ
ନିଦାଘେ ତପତ କରେ
ସୁଅ ଗଲେ ଶୁଖି ନହୋଇ ତ ଦୁଃଖୀ
ଶ୍ରାବଣେ ଝରଣା ଝରେ !
ପୂର୍ଣ୍ଣମାସୀ ଶଶୀ ପାରେ କାହୁଁ ହସି
ରାହୁଛାୟା ଯେବେ ଗ୍ରାସେ
ମୁକୁଳିଲେ ପୁଣି ଜ୍ୟୋତ୍ସ୍ନା ଦିଏ ବୁଣି
ଗହନ ତିମିର ନାଶେ
ଦୁଃଖଭରା ଅବକାଶେ
ଅସଫଳ ଜନ ମାରେ ସିନା ମନ
ନପାଏ କାହାକୁ ପାଶେ ।
ମଧୁଶାଳା ପରେ ଦେଖିଥିଲି ଥରେ
ପିଆଲା ପଡିଛି ଖାଲି
ଖେଳ ସରିଗଲେ ପଡିଥିବ ତଳେ
ମାଟିରେ ମିଶିବ କାଲି
ଏହିସବୁ କଥା ଭାଳି
ଛାଡିଗଲା ନିଶା ଫେରି ପାଇ ଦିଶା
ଘରକୁ ଆସିଲି ଚାଲି ।
ଅଭାବରେ ଥିଲେ ଭାବ କାହୁଁ ମିଳେ
ଅନ୍ତରେ ନଥାଇ ପ୍ରୀତି
ଦୀପ ଲିଭିଗଲେ ପୁଣି ଯେବେ ଜଳେ
ତେଲ ପାଇ ଯଥାରୀତି
କାଳ ତ ଗଲାଣି ବିତି
ଗଲା ଯିଏ ଗଲା ତା' ପାଇଁ ମୁଁ ଭଲା
ଝୁରେ ବା କାହିଁକି ନିତି ?