ନିର୍ବାସିତ ଫଗୁଣ
ନିର୍ବାସିତ ଫଗୁଣ
ପୁରା ସହରରେ ଚର୍ଚ୍ଚା
ଫଗୁଣ ଆସିଥିବାର
ଭାବିଲି କବିତାଟିଏ ଲେଖିବି ,
ହେଲେ ଜନତାଙ୍କ ଜୟଘୋଷ ପରେ
ବାଟ ଭାଙ୍ଗୁଥିବା ରାଜନେତା ପରି
ଫଗୁଣ ଅନ୍ତର୍ଦ୍ଧାନ ଥିଲା
ଅବିକଳ ମଣିଷ ପରି ଦିଶୁଥିବା
ମେସିନ ମାନବଙ୍କ ସହର ଭିତରୁ ।
ପୁଣି ଭାବିଲି ଫଗୁଣକୁ ଭେଟିବାକୁ
ଫୁଲକୁ ଖୋଜିବି
ଖୋଜିବି ଆମ୍ଵବଉଳର ବାସ୍ନା
ଦେଖିବି ପତ୍ର ଝଡା ପରେ
ନବ ପଲ୍ଲବିତ ପଲ୍ଲବର
ଫଗୁଣକୁ ଭେଟିବାର ତୃଷ୍ଣା
ହେଲେ ସେମାନେ ବି ନିରୁଦ୍ଧିଷ୍ଟ
ଏ କଂକ୍ରିଟର ଉପତ୍ୟକା ଭିତରୁ
କାହିଁ କେବେଠାରୁ ।
ତହୁଁ ଦେଖିଲି ଏକ ସୁଦୃଶ୍ୟ ଉପବନ
ଦଳେ ଦଳେ ବିଦେଶୀ ଶୋଭା ବୃକ୍ଷ
ଆଉ ଗୋଟାଏ ବାଟ ଭୁଲି ଆସିଥିବା କୋଇଲି
ଯିଏ ଅହରହ ରଟୁଥିଲା ବିରହ ସଙ୍ଗୀତ ।
କ୍ଷଣେ ଚକିତେ ପଚାରିଲି
ଋତୁରାଜ ଆଗମନେ ଗାଅ କାହିଁ
ଏଡେ ଅଲକ୍ଷଣେ ବିରହର ସୁର ।
ଯେବେ ପୁଛିବାକୁ ଲେଉଟ ସୁରରେ
ଡାକିଲି ମୁଁ କୁହୁ କୁହୁ ତା’ର ପ୍ରତି ସ୍ଵରେ
ଅଟ୍ଟହାସ୍ୟେ କହିଲାକି ଆଉ
ଜାଣନା କି ତୁମେ
ଗାଏ ମୁହିଁ ସ୍ଵାଗତ ସଙ୍ଗୀତ
ନିତି ପ୍ରତି ଦିନ
ଯେଣୁ ଋତୁରାଜ ଆସିବାର
ପାଏନି ମୁଁ ଅଣୁ ମାତ୍ର ଚିହ୍ନ
ଗଲା କେଇସନ ହେଲା ।
ତଥାପି ଚାଲିଥିଲା ରଙ୍ଗମାନଙ୍କ କିଣାବିକା
ବସନ୍ତ ସଙ୍ଗୀତର ଅଭ୍ୟାସ
ପ୍ରିୟ ଆଉ ପ୍ରେୟସୀର ମନ ଦିଆ ନିଆ
ଜାଣିବି ଫଗୁଣ କେବେଠାରୁ ନିରୁଦ୍ଧିଷ୍ଟ ଥିଲା ।
କେହି କାଳେ କହୁଥିଲେ ,
ଫଗୁଣର ଚିରକାଳ ନିର୍ବାସନ ଦଣ୍ଡ
ଏ କଂକ୍ରିଟ୍ ଉପତ୍ୟକାରୁ
ତେଣୁ ଫଗୁଣରେ କବିତା ଲେଖିବାର ଇଚ୍ଛା
ମୋର ସିନା ଅଧା ରହିଗଲା ।
ଶାରଦା ପ୍ରସାଦ ପରିଡା
ଅଧ୍ୟାପକ, ମେକାନିକାଲ ଇଂଜିନିୟରିଗଂ,
କୋଣାର୍କ ବିଜ୍ଞାନ ଏବଂ ବୈଷୟିକ ମହାବିଦ୍ୟାଳୟ , ଖୋର୍ଦ୍ଧା