ଖରା ଏବେ
ଖରା ଏବେ
ଅନ୍ଧାରର ପ୍ରତିବାଦ କହିଲେ ‐ ଖରା
ଯୁଦ୍ଧରେ ପାପଠୁ ସମୟ ଜିଣି
ପୁଣ୍ଯ ଅର୍ଜିବାର ସୁଯୋଗ କହିଲେ ‐ ଖରା ।
ବର୍ଷା ନିଗିଡା ଅପରାହ୍ନ
ପାହାଡ ଚୂଡାରେ ଖରା ଆଙ୍କେ
ଇନ୍ଦ୍ରଧନୁର ବର୍ଣ୍ଣବିଭା,
ଶୀତ ପୃଥିବୀର ସକାଳ
ଉଷୁମ୍ ନିଆଁରେ ଖରା ବୁଣେ
ଫୁଟାଫୁଲର ରେଶମୀ ଚାଦର,
ଅଶିଣ ଧାନକ୍ଷେତରେ ଖରା
ସୁନାର ଢେଉଢେଉକା ତାରକସି,
ଫଗୁଣର ପଳାଶ ବନରେ
କାମନାର ମିଠା ମିଠା
କପଟ ସନ୍ନ୍ଯାସୀ !
ପ୍ରତିବର୍ଷ
ତା' ସ୍ବାଗତ ସମ୍ବର୍ଦ୍ଧନା ପତ୍ରର ଅଇନାରେ
ନୂଆ ନୂଆ ମୁହଁ ଦେଖେ ଖରା
ଖରା ‐ ଦୁଃଖର ଦ୍ରାଘିମାରେ ଚେନାଏ
ହସର ଚେହେରା !
ଘର କୁଣିଆ ଖରା କାହିଁକି
ଏଣିକି ଅଚିହ୍ନା ଅଜଣା
ବେନାମୀ ଠିକଣାରେ ବେଶି ବାଟବଣା !
ଏବେ ରାତି ପାହୁ ପାହୁ ଯେମିତି
ଖରା ଏକ ଡହଡହ ତିଥିହୀନ ସନ୍ଦିଗ୍ଧ ଅତିଥି
ବିଶ୍ବାସର ଦାଣ୍ଡଦୁଆରେ ତା'ପାଇଁ
କୄତଜ୍ଞତାର କଳସ ସଜଡା ବେଳେ
ସେ ବର୍ଷୁଛି ଅହଂକାରର ଲୁହାତରଳା ତାତି ।
ଏବେ ତା'ର ଛାଇକୁ ବାଦ ତ ଛତାକୁ ଈର୍ଷ୍ଯା
ସଂଜକୁ ସଉତୁଣୀ ତ ଶଙ୍ଖେ ପାଣିକୁ ବି ହିଂସା !
ଖରା ଏବେ ରକ୍ତମୁଖା ଶୋଷ,
ଆମ ଶୋଷର ଶୂନ୍ଯ ମାଠିଆ
ଭାଙ୍ଗୁ ପଛେ, ତା'ର କି ଦୋଷ !