ଗୋସେଇଁ ଉବାଚ
ଗୋସେଇଁ ଉବାଚ
ବର୍ଷା ନାହିଁ ବୋଲି ରଡ଼ି କରୁଥିଲ
ନଚାଇ ବ୍ରାହ୍ମଣୀ ବେଙ୍ଗ,
ଶୁଣି ଶଚି ପତି ରାଗରେ ଡେଇଁଲେ,
ପାଇ ଅପବାଦ ଚେଙ୍କ।
ଅଚା ବୁହା କରି ବରଷିଲେ ବାରି
ଦାଣ୍ଡ ଘାଟ ହେଲା ପାଣି,
ଘରଠୁ ବାହାର ସବୁ ଏକାକାର
ଏକକୁ ଆରେକ ବଳି।
ପୁଅ ଆଳ କରେ କାଗଜ ଡଙ୍ଗାଟେ
ମୋ ଲାଗି ବନେଇ ଦିଅ,
ବାପା କହେ ଏବେ କାଗଜର ନୁହେଁ
ସତରେ ଆସିବ ରହ।
ତେଲ ପୂରାଇବା ଦରକାର ନାହିଁ
କାତଟେ ଆଣିଲେ ହେଲା,
ଡଙ୍ଗା ନ ମିଳିଲେ ଚାରି ଚକିଆଟା
କାତରେ ହୋଇବ ପେଲା।
ଜଙ୍ଗଲ ରହିଲା ପାଠର ବହିରେ
ଜନ୍ତୁ ସବୁ କାହାଣୀ ରେ,
ଯୋଜନା,ପ୍ରକଳ୍ପ,ରାସ୍ତାଘାଟ ନାମେ
ଯିଏ ଯେତେ ଖାଇ ପାରେ।
ବଜେଟ ବସିଲେ ଶାଗୁଣା ନେତାଙ୍କ
ବିଧାନ ସଭାରେ ଭିଡ଼,
ଖଦଡ଼ଟେ ପିନ୍ଧି ଖୋଜି ବୁଲୁଥାନ୍ତି
ନିରୀହ ଜନତା ମଢ଼ ।
ପଣ୍ଡିତେ ସବୁ ଭାଷଣ ବାଜିରେ
ଗଢ଼ିଲେ ସ୍ମାର୍ଟସିଟି,
ସ୍ମାର୍ଟସିଟିର ଢିଲାବସ୍ଥା ଦେଖି,
ଅପଣ୍ଡିତ ମାରେ ସିଟି।
କାହାକୁ କହିବା କିଏ ବା ଶୁଣିବ
ସବୁ ଏଠି ବ୍ରହ୍ମଜ୍ଞାନୀ,
କାଲି ଥିଲା ଯିଏ ପାଣ୍ଡବ ଦଳରେ
ଆଜି କୌରବ ସେନାନୀ।
ଚିନ୍ତା ବଦଳିଲେ ଦେଶ ବଦଳିବ
ବିକଶିତ ହେବ ଜାତି,
ଦଳ ବଦଳାଇ ଝାଡ଼ି ଝୁଡ଼ି ହେଲେ
ମଇଁଷି କି ହେବ ହାତୀ ?
ଅତି ଯଦି କେବେ ବଢ଼ି ବଢ଼ି ଚାଲେ
ଅଚିରେ ହୋଇବ ଇତି,
ଗୋସେଇଁ ଉବାଚ ଅନ୍ୟଥା ନୋହିବ
ରୋଷ କଲେ ଏ ପ୍ରକୃତି।।
ଫ୍ରାନସିସ୍ ଶତପଥୀ