ସେଥିପାଇଁ ତମେ ତ ଦାୟୀ
ସେଥିପାଇଁ ତମେ ତ ଦାୟୀ
"ଏଠି କାହାର ଜୀବନ ଯାଉଛି ଆସୁଛି,
ଆଉ ତୁମକୁ ହସ ଲାଗୁଛି ! "-
ତୁମ କାନ୍ଦୁଣୁ ମାନ୍ଦୁଣୁ ମୁହଁରେ
ବେଶ ମାନେ
ବିରହ ରାଗରେ ଭିଜା
ଏହି ତୁମ କଥା
କେତେ ଦିନ କଥା ନ ହେବାର
ଏତେ ସୁନ୍ଦର ଫଳ ହୋଇପାରେ !
ତୁମର ଏହି କେଇ ପଦରେ
ମୋ ମନ ରଙ୍ଗେଇ ହେବା ବେଳେ
ତୁମେ ଆରୋପ ଜାରୀ ରଖ-
"କିଏ କହିଥିଲା
ଆସିବାକୁ ଏ ଜୀବନକୁ
ଆଉ ନଟପୁରୁଷ ହୋଇ କରିବାକୁ
ଏ ଯାହା ସବୁ
ଭଲ ପାଇବାର ଭିଆଣ
କାହିଁ ପ୍ରେମକୁ କରିଦେଲ ମୋ ପାଇଁ
ଅଫିମ ପରି
ନିତିଦିନିଆଁ ନିଶାଟିଏ
ଆଜି ମୋର ଏ ହୀନିମାନପଣ,
ପ୍ରତୀକ୍ଷା ଯନ୍ତ୍ରଣାରେ ଦଗ୍ଧ ହେବା,
ତୁମ ଉପରେ ଅକାରଣେ ରାଗିଯାଇ
ଗୋଡ କଚାଡିବା,
ସେଥିପାଇଁ ତମେ ତ ଦାୟୀ"
କେବେ କେବେ ମୋ
ପ୍ରଥମ ଦିନ ଗୁଡିକର କଥା
ମନେ ପକାଇ ଦେଇ କୁହ
"ମନେ ପଡିଗଲେ ହସ ଲାଗେ
ଆସୁ ଆସୁ
ଏ ଯେଉଁ ଲକ୍ଷ୍ମଣ ରେଖା ଟାଣି ଦେଲ
ଚେତାବନୀ ଦେଇଦେଲ
ତୁମ ଜୀବନକୁ ମତେ ସମ୍ଭାଳିବାକୁ ହେବ
ଡରି ଡରି ପଶିଥିଲି ତୁମ ଜୀବନରେ
ଦେଖୁଥିଲି ସବୁକିଛି
ଜୀବନ ବୋଲି କଅଣ ଥିଲା ଯେ !
ସେଠି ଗୋଟେ ବିପର୍ଯ୍ୟସ୍ତ ସହର
ଜାଣିନି ସେହି ତୁମ ଜୀବନରେ
ପ୍ରେମ ଥିଲା ନା ନାହିଁ"
ତୁମେ ମତେ ଦାୟୀ କରି
ଅନର୍ଗଳ କହିଚାଲ
"ସତ କହୁଛି
ମୋର ହସର କାରଣ ତୁମେ
ମୋର ଏ ଲୁହ ପାଇଁ ତୁମେ ଦାୟୀ
କୋହଳ କରିଛ
ସବୁ କିଛି ମୋ ପାଇଁ
ମତେ ସ୍ବେଚ୍ଛାଚାରିତା ଶିଖାଇଛ ତୁମେ
ଆଉ ଅଳସୁଆ ହେବା ବି
ସ୍ୱପ୍ନ ସବୁକୁ ଜାବୁଡି ଧରି
ତୁମ ସହ
ହଜାର ବିନିଦ୍ର ରଜନୀ କାଟିବାକୁ"
ମନେ ପକେଇ ଦେବା ଛଳରେ
ମୋ ଆଖିକୁ ଅନେଇ ପ୍ରଶ୍ନ କର
"ତମେ ସେହି ବ୍ୟକ୍ତି ନା
ଯିଏ ପ୍ରଥମ କରି
ଓଢଣୀର ସୀମା ଡେଇଁ ଯିବାକୁ
ଶିଖାଇ ଥିଲା ମୋ ଲାଜକୁ !"
" ସତରେ, ଏତେ ସ୍ୱାର୍ଥପର କରି
ସଜାଇଛ ମୋତେ !
ହଜାଇ ଦେଇଛ ମୋ ଭିତରେ
କ୍ଷମା ମାଗିନେବା ଗୁଣ
ଏବେ ମୁଁ ଦୋଷ କରି ବି
ସଶଙ୍କିତ ଚିତ୍ତରେ ଯାଏନି ତୁମ ପାଖକୁ
ନିଜର ସଫେଇ ଦେବାକୁ
ବରଂ ତୁମେ ଆସ ମୋ ପାଖକୁ
ମୋତେ କୋଳରେ ବସାଇ
ମୋ କ୍ରୋଧ ଶାନ୍ତ କରିବାକୁ
ବହୁଥର ଦେଖିଛି
ମୋ ମୁହଁର
କଠିନ ହସ ବକଟେ ପାଇଁ
ଶତ ଚୁମ୍ବନର ଲାଞ୍ଚ ଦିଅ
କୁହ, ଏଥିପାଇଁ ତୁମେ ଦାୟୀ ନୁହଁ?
"ଆରେ ବୁଦ୍ଦୁ !
କେହି ତୁମକୁ କହି ଦିଅନ୍ତା ସିନା
ଛାତି ପଥର କରି ଆଉ ଟିକିଏ
ଅପେକ୍ଷା କରିବାକୁ
ଯାହା ପରେ
ଛାଏଁ ଛାଏଁ ବାଜି ବଦଳି ଯାଆନ୍ତା
ମୁଁ ବଳେ ବଳେ ମାଡି ମକଚି
ହୋଇ ଆସନ୍ତି ତୁମ ଆଗକୁ
ଶେଷ ଗ୍ରୀଷ୍ମରେ
ବିପଦସଂକୁଳ
ଗୋଳିଆ ପାଣି ଝର ପାଖକୁ
ଭୟାର୍ତ୍ତ କରୁଣ ଆଖିରେ
ହରିଣୀ ଆସିବା ପରି"
"ମୁଁ ଜାଣେ
ତାଗିଦ କରି ବେଶୀ କ୍ଷଣ
ତୁମେ ରହି ପାର ନାହିଁ
ମୋ ନାକ କଟିବା ଆଗରୁ
ତୁମେ କେଉଁଠୁଁ ଡେଇଁ ପଡ଼
କୃଷ୍ଣଙ୍କ ବେହିଆ ହସ ହସି
ନିଜ ଅହଙ୍କାରକୁ ବୁଝାଇଦିଅ
- 'ଆମ ଭିତରେ
କିଛି ତ ହୋଇନି'
ସବୁଥର ମନ୍ଦିରଟିକୁ
ତୁମେ ତ ଟାଣି ନିଅ
ପ୍ରେମର ଉପାସନା ପାଇଁ
ହସି ହସି
ଭୋଗ ଆଉ ସୁନ୍ଦର ଫୁଲହାର କିଣି
ମୋ ଚାଙ୍ଗୁଡ଼ି ସଜେଇ ଦିଅ
ମୋ ପଇସା
ଖଣ୍ଡିଆ ନ ହୋଇ
ମୋ ମୁଣିରେ ସେମିତି ରହିଯାଏ
ମୋତେ ଛାଇରେ ବସାଇ
ନିଜେ ଖରାରେ ଛିଡା ହୁଅ
ମୁଁ ଦିଅଁ ଦର୍ଶନ ବେଳକୁ
ଧାଡି ଭିତରକୁ ଗଳି ଆସି
ତୁମ ଆଗରେ
ଛିଡା ହୋଇଯାଏ ଯାହା
ଏଥିପାଇଁ ତୁମେ ଦାୟୀ ନୁହଁ ?
କେବେ ତ ଶିଖାଇ ଥାନ୍ତ
ଏଇ ଉପାସନା ସିଦ୍ଧ ହୋଇଥାନ୍ତା ଯେବେ
ମୋ ପ୍ରଣତି
ମୋ ଲୁହ
ମୋ ଖରାରେ ସିଝିବା
ମୋ ଗୋଡ଼ ଘୋଳା
ଆଉ ଅନ୍ତତଃ,
ଭୋଗର ପଇସା ତ ଲାଗି ଥାଆନ୍ତା
ମୋ ହାତରୁ !"
ମତେ ସବୁକଥାରେ
ଦାୟୀ କରିବା ପରେ
କେଡ଼େ ସାବଲୀଳ ଢଙ୍ଗରେ
ତୁମ ଭଲ ପାଇବା
ତୁମେ ମାନି ନିଅ ଏହି କେତେ ପଦରେ -
"ତୁମ ସହ କଥା କହିବାକୁ
ପ୍ରବଳ ଲୋଭ ମୋର
ଭାବୁଥାଏ ଥରକରେ ସରି ଯାଆନ୍ତାକି
କଥା କହିବାର ଭୋକ
କିନ୍ତୁ ଏମିତି ହୁଏନା
ବରଂ ଓଲଟା ହୁଏ
କଥା କହିବାରେ
ଆଶାର ଆକାଶ ମୋ
ଆହୁରି ଉଞ୍ଚା ହୋଇଯାଏ
ମୁଁ ପାଗଳ ହୁଏ,
ହଁ, ପାଗଳ
କଷ୍ଟ ପାଏ -
ଆଉ କଷ୍ଟ ଦିଏ ତୁମକୁ ବି"