ପାପ
ପାପ
ସାମାଜିକ ନ୍ୟାଯ୍ୟ ନୁହେଁ ଯେଉଁ କାର୍ଯ୍ୟ ତା ଫଳ ବୋଲାଏ ପାପ
ପ୍ରତି ହୃଦୟରେ କମି ବେଶି ଧାରେ ରୁହେ ତାର ଛଇଛାପ ।
କେ' ମହତମନା ବିଚାରଇ ସିନା କିଏ ଜାଣି ଆଦରଇ
ଉତ୍ତେଜନା ବଶେ ଆଦରଇ ଶେଷେ ହୃଦୟେ ଭୟ ପାଳଇ ।
ଯଦି ଅନ୍ତର୍ମନ କଦବା ମନ୍ଥନ ହୁଅଇ ଅଳ୍ପେ ବହୁତେ
ଶାନ୍ତି ହୁଏ କ୍ଷୟ ହୃଦୟ ନିଶ୍ଚଂୟ ଝିଙ୍ଗାସଇ ସେ ମୁହୂର୍ତ୍ତେ ।
ହେଲେ ଅଜ୍ଞାତରେ ସେ କର୍ମ ଆଧାରେ ହୃଦ ନ ପାରେ ଯା' ଚାଖି
ଫଳ ହେବ ପ୍ରାପ୍ତ ହେଲେ ଅନୁତପ୍ତ ହୃଦୟେ ରୁହେନି ଲାଖି ।
ଏ ଦୁଇ ପର୍ଯ୍ୟାୟେ ପାପ ରହିଥାଏ ଜୀବନର ପରିଧିରେ
ଜ୍ଞାତ ଓ ଅଜ୍ଞାତ ହେଲେ ଫଳ ସ୍ବତଃ ମିଳଇ "ବିଧି'' ବିଧିରେ ।
କର୍ମଫଳ ଯଦି ଆବେଶେ ଆରୋଧି ରଖିଛି ଜୀବନ ଚକ୍ର
ନ ବୁଝି ଏ ମର୍ମେ କିଆଁ ଅପକର୍ମେ ସେ ଗତି କରିବା ବକ୍ର ?
ଯେ କରମଫଳ କରିବ ବିକଳ ଜୀବନ, ଜୀବନ ଅନ୍ତ
ଶ୍ରେଷ୍ଟତ୍ବରେ ଜଡି କାହିଁକି ଆଲୋଡି ଯିବା ସେ କରମେ ସ୍ବତଃ ।