କର୍କଟ
କର୍କଟ
କର୍କଟ
ହଇହେ ଗଗନ ନନା
ସକାଳୁ ସକାଳୁ ତରବର କିଆଁ
ଇଆଡେ ଟିକିଏ ଅନା ।
କେତେଥର ଏହି ବାଟରେ ଯାଉଛ
ଦେଖିଛ ବି ଥରେ ଥରେ
ତମେ କି ଜାଣିନ ଚାକିରି ସାରି ମୁଁ
ଫେରିଲିଣି ଗାଆଁ ଘରେ ,
ଆମେ ଦୁହେଁ ପରା ପିଲାଦିନ ସାଙ୍ଗ
ଖେଳୁଥିଲେ ଧୂଳି ବାଲି
ଯାହା ତ ଦେଖୁଛି ନ ଚିହ୍ନିଲା ପରି
ନିଇତି ଯାଉଛ ଚାଲି ।
ହଉ ହେଲା ଆସ ଆସ
ବିଲ ଆଡେ ବୋଧେ ଯାଉଥିଲ କୁହ
କି କରିଛ ଚାଷବାସ ।
ଅବସର ପରେ ଏଠିକି ଆସିବା
ହେଲାଣି ହେ ମାସ ଚାରି
ଘରଦ୍ୱାର ସବୁ ସଜାଡି ଦେବାରେ
ବ୍ୟସ୍ତ ରହିଗଲି ଭାରି ,
ଭାରିଯା ତ ଏକା ସାଥିରେ ମୋହର
ଚାକିରି କଲାଣି ପୁଅ
ଓଷଧ ପତରେ ଦିନ ବିତୁଅଛି
କଅଣ କରିବା କୁହ ?
ଏଇ ମାଟି ଆମ ସାହା
ଆସ କଥା ହେବା ପିଣ୍ଡାରେ ବସିବା
ପିଇବା ଟିକିଏ ଚାହା ।
ବୁଢ଼ା ପଛେ ତୁମେ ଅଧିକ ଦିଶୁଛ
ଦେଖୁ ଦେଖୁ ଗଲି ଚିହ୍ନି
ଚେହେରାଟା ମୋର ସହରିଆ ସିନା
କେବେଠାରୁ ମନା ଚିନି ,
ପିଲାବେଳ ଭଳି ଏବେ ବି ତୁମେ ତ
ଦୁବୁଲା ପତଳା ନିଠା
କୁହ ହେ ଗୋସାଇଁ ତୁମରି ଚାହାରେ
ପଡିବ କି ନାହିଁ ମିଠା ।
କେମିତି ଚାଲିଛି ଧନ୍ଦା
ତୁମ ଭଲମନ୍ଦ କହିବ ନାହିଁ କି
କେବଠୁ ହେଲଣି ଚନ୍ଦା ।
ଗଗନ ନନାଟା ମଗନ ଥିଲା କି
ଆଉ କେଉଁ କଥା ଭାବି
ସାଥିରେ ମୋହର ପିଣ୍ଡାରେ ବସିକି
ଓଠ ରଖିଥିଲା ଦାବି ,
ଶଙ୍କର ଭାଇଟା ବାହାରି ଆସିଲା
ଆମରି ପଡିଶା ଘରୁ
କହିଲା ଗୋସାଇଁ ଗୁଟୁଖା ଚୋବାଇ
ଜୀଇଁ ଅଛି ମରୁ ମରୁ ।
କଟା ହୋଇଛି ତା ଜିଭ
କର୍କଟ ରୋଗରୁ ବଞ୍ଚିଗଲା ସିନା
ମୂକ ହୋଇ ରହିଥିବ ।
ପ୍ରସନ୍ନ କୁମାର ମାଦଳା