ମହାନଦୀର କୋହ
ମହାନଦୀର କୋହ
ହେ ମାନବ ଛାର କରୁ ଅତ୍ୟାଚାର
ଦେଉଛୁ କେତେ କଷଣ
ଯୁଗେ ଯୁଗେ ତୋର କଲି ଉପକାର
ହେଲା ମୋ କଷ୍ଟ କାରଣ ।।
ମୋ କୋହର ଢେଉ ଉଠୁଛି ପଡୁଛି
ଦେଉଛି ବକ୍ଷ ବିଦାରି
ତଥାପି ମୁଁ ମୋର କଷ୍ଟ କହୁନାହିଁ
କାନ୍ଦୁଛି ମନେ ଶିହରି ।।
ମୁକ୍ତି ପଥଗାମୀ ସାଗର ସଂଗମୀ
ବନ୍ଧା ପଡିଅଛି ଆଜି
ସାଗର ମିଳନ ସ୍ଵପ୍ନ ହେଲା ଜାଣ
ବନ୍ଦି କଲୁ ବାଧା ସାଜି ।।
ରାଜ୍ୟ ରାଜ୍ୟ ମଧ୍ୟେ କଳି କରୁଅଛ
ମୋ ଅମୀୟ ନୀର ପାଇଁ
ତଥାପି ମୋ ଦୁଃଖ କେହି ବୁଝୁ ନାହଁ
କାହାକୁ କହିବି ଯାଇ ।।
ଚିର ସ୍ମରଣୀୟ ସାଗର ମୋ ପ୍ରିୟ
ମିଳନ ଆଶାରେ ଥିବେ
କେତେ ବେଳେ ମୁଁ ଯେ ତାଙ୍କ ପାଖେ ଯିବି
ସେ କଥା ସେ ଭାବୁଥିବେ ।।
ବର୍ଷ ବର୍ଷ ଧରି ସେବା ତୋର କଲି
ଦେଇଗଲି ନବ ପ୍ରାଣ
ଶସ୍ୟ ଶ୍ୟାମଳାରେ ଭରିଲି ତୋ ପୁର
କରି କି କଷ୍ଟ ବରଣ ।।
କାରଖାନା ବର୍ଜ୍ୟ ପାଇଖାନା ଜଳ
ଆବର୍ଜନା ଦେଲୁ ମୋତେ
ତଥାପି ପଦିଏ ଉତ୍ତର ନ ଦେଲି
ନିରୀହ ଭାବିଣ ତୋତେ ।।
କେତେ ଜଳ ଜୀବ ଥିଲେ ମୋ ଶରୀରେ
କ୍ରୀଡାରତ ଆନନ୍ଦରେ
ସଭିଙ୍କୁ ଗ୍ରାସିଲୁ ରାହୁର ରୂପରେ
ଠେଲିଦେଲୁ ଯମପୁରେ ।।
ଶବ ଦାହ କଲୁ ପ୍ରଦୂଷିତ କଲୁ
ମୋ ପୁଣ୍ୟ ପବିତ୍ର ନୀରେ
ପବିତ୍ର ଜଳକୁ ଅପବିତ୍ର କଳୁ
ତୋହରି ବାହୁ ବଳରେ ।।
ଅମୀୟ ସମାନ ଜଳରେ ମୋହର
ଭରି ଦେଇଅଛୁ ବିଷ
ସେଇ ବିଷ ତୋର କରିବ ଦିନେ ଯେ
ତୋ ଜୀବନ କାଳ ଶେଷ ।।