ବିପର୍ଯ୍ଯସ୍ତ ପରିବେଶ
ବିପର୍ଯ୍ଯସ୍ତ ପରିବେଶ
ବିପର୍ଯ୍ଯସ୍ତ ପରିବେଶ କେତେବେଳେ ସୁନାମି କାଟ୍ରିନା କେବେ ପୁଣି ମରୁଡି
ବା ବଢି ପ୍ରକୃତିର ବିପର୍ଯ୍ଯସ୍ତ ରୂପ ଆପଣା ଗୋଡରେ ମାରିଣ କୁରାଢି ।
ତିନି ଭାଗ ଜଳ ଧରାଧାମେ ଏକ ଭାଗ ପୁରିଅଛି ମାଟି
ପର୍ବତ ଜଂଗଲ ସବୁଜିମା ସବୁ ଧ୍ୱଂସ କଲୁ ଆମେ କାଟି ।
ଗଢୁଅଛୁ କଂକ୍ରିଟ୍ ଜଂଗଲ କାଟିକୁଟି ସବୁ ଗଛଲତା
ଖଣି ଖାଦାନକୁ ଖୋଳି ଯନ୍ତ୍ର ମାନବ ଅମରମତା ।
ଜାଳୁ ଆମେ ପେଟ୍ରୋଲ ଡିଜେଲ ଆଦି ଇନ୍ଧନକୁ ଉଡାଇ ପବନ
ବାୟୁମଣ୍ଡଳକୁ କରୁ ଅବକ୍ଷୟ କରି କଳ କାରଖାନା ମାନ ।
ଉର୍ବରକ ବଦଳରେ ଢାଳୁ କ୍ଷେତରେ ରସାୟନିକ ସାର
ଉଦବାୟୁ ବାଷ୍ପ ଧିରେ ଧିରେ କ୍ଷୟ କରେ ଓଜନ ସ୍ତର ।
ଶୀତତାପ ନିୟନ୍ତ୍ରକ ଆଦି ଆରାମ ଦାୟକ ଯନ୍ତ୍ର
ଆରାମପ୍ରଦ ହେଲେହେଁ ପ୍ରକୃତିର ସବୁ ପୀଡା ତନ୍ତ୍ର ।
କେତେଦିନ ଆଉ ଆମ ସୁନ୍ଦର ଧରାକୁ ନାରଖାର କରି
ପ୍ରଗତିର ଜୈତ୍ରବାନା ଉଡାଇବା ବିଷର ବଳୟ ସୃଷ୍ଟି କରି !
ବାପୁ ଦେଖିଥିଲେ ସ୍ୱପ୍ନ ଗ୍ରାମେ ଗ୍ରାମେ କୁଟିର ଶିଳ୍ପର
କାଟି ପିନ୍ଧ କୁଟି ଖାଅ ସରଳ ଜୀବନ ଯାପନ କର ।
ଠୁଳ କରିବାକୁ ଧାଉଁ ଆମେ ସୁଖର ସାଧନ ଅସରନ୍ତି
ସାଧନରେ କିବା ଲାଭ ନାହିଁ ଯଦି ତହିଁ ତିଳେ ଶାନ୍ତି ।
ଅବସର ବିନୋଦନ ପାଇଁ ଯାଉ ଆମେ ପ୍ରକୃତି କୋଳକୁ
ପ୍ରକୃତିକୁ ବିପର୍ଯ୍ଯସ୍ତ କରି ଯିବା ଆମେ ଆଉ କେଉଁଠାକୁ !
ଜୀବନ ଟା ଅଢେଇ ଦିନର ଦିନେ ଜନ୍ମ ଦିନେତ ମରଣ
ବାକି ଅଧା ଦିନ ପାଇଁ ଏତେ ପରିପାଟୀ କାହିଁ ଅକାରଣ !
ବନ୍ଦକର ବନସାଇ ପାଠ ପ୍ରକୃତିରେ ସବୁଜିମା ଭର
ପ୍ରକୃତିକୁ ଭଲ ପାଇ ଶିଖ ନୂତନ ଜଂଗଲ ସୃଷ୍ଟି କର ।
ଧରଣୀକୁ ଦେବା ଆମେ ଯେତେ ପ୍ରାକୃତିକ ପରିବେଶେ ଭରି
ସୁନାମି କାଟ୍ରିନା ଫାଇଲିନ୍ ହୁଡୁହୁଡ୍ ଛାଡି ଯିବେ ଡରି ।
ହରସିତ ହୋଇଣ ପ୍ରକୃତି ହସିଉଠୁ ଜୀବନ ଆମର
ହଳଦୀ ବସନ୍ତ ଉଡିବୁଲୁ କୁହୁତାନ ଶୁଭୁ କୋଇଲିର ।
-ବିଶ୍ଵେଶ୍ୱର ମାଝୀ-