ଅସୁମାରୀ ସ୍ୱପ୍ନ
ଅସୁମାରୀ ସ୍ୱପ୍ନ
ନାବିକ ସମାନ ଖରେ ପାଲଟଣା ନାଆ ଧରେ
ସାଗର ଲହରୀ ପରେ ଯାଏ ସିନା ଦମ୍ଭ ଭରେ
ସୂରୁଯ ବୁଡେ କେବେ ଦିବସ ସରି ,
ତାରାକୁ ନଜର ଦେଇ ଜହ୍ନର ଜୋଛନା ନେଇ
ଛାଡିଲି ସାଗର ସେଇ ତକ୍ଷଣେ ଗଗନେ ଏଇ
ଉଡାଣ ଦେଲି ବାଇ ଚଢେଇ ପରି ।
ଦେହରୁ କଲିଜା କାଢି ରକତ ଅଠାକୁ ବାଢି
ବାନ୍ଧିଲି ଶରଧା ନାଡୀ ସପନେ ଗୁଡିଟେ ଛାଡି
ଅଜଣା ଖୁସି ଗଲା ମନରେ ଭରି ,
ପ୍ରଜାପତି କଲି ସାଥୀ କୋଳେଇ ହାତକୁ ପାତି
ଭାବରେ ପୂରିଲା ଛାତି ଖେଳିଲି ସଙ୍ଗତେ ମାତି
ଉଡିଲା ଖେଳୁ ଖେଳୁ ହାତରେ ଧରି ।
ମନକୁ ଛୁଇଁଲା ପାପ ନ କଳି ବାସନା ମାପ
ଭରିଲା ବିରହ ତାପ ଛାଡିଲା ଅଲିଭା ଛାପ
ଲୋତକ ଖସି ଆସେ ଓଠକୁ ଝରି ,
ତାରରେ ବିଜୁଳି ବହେ ମନପକ୍ଷୀ ଲାଖି ରହେ
ସାଉଁଟିଲା ସୁଖ ଦହେ ଅନ୍ତରାତ୍ମା କାନ୍ଦି କହେ
ହସିବା ବେଳେ ବୁଡେ ଜୀବନ ତରୀ ।
ଝରିଲା ପତରେ ବସି ଅବସାଦ ଆସେ ଖସି
ଛାତି ଭିତରକୁ ଧସି ପଶଇ ଅନ୍ତର ଚଷି
ଉଡାଣ ପଥେ ଯାଏ ଭାବନା ସରି ,
ସବୁକଥା ବୁଝି ସାରେ ଯାତନାର ଧାରେ ଧାରେ
ଭବସିନ୍ଧୁ ଆରପାରେ କେହିଜଣେ ହାତ ଠାରେ
ଜଗିଛି ବାଟ ଚାହିଁ ଯାଏ ମୁଁ ମରି ।
ପ୍ରସନ୍ନ କୁମାର ମାଦଳା