ବଙ୍ଗ ପରିବାରରେ ପ୍ରଥମାଷ୍ଟମୀ
ବଙ୍ଗ ପରିବାରରେ ପ୍ରଥମାଷ୍ଟମୀ
ବଙ୍ଗ ପରିବାରରେ ପ୍ରଥମାଷ୍ଟମୀ
ସେ ଥିଲା ଏକ ପ୍ରଥମାଷ୍ଟମୀ ଦିନ,,
ଝିଅ କହିଲା ବାପା ଆମ ଘରେ
କାହିଁକି କରୁନା ପର୍ବଟି ପାଳନ ?
ବର୍ଷରେ ତ ହୁଏ ମାତ୍ର ଥରେ ।
ଦେଖୁନା ସବୁ ନୂଆ ବସ୍ତ୍ର ଦେଇ,
ସ୍ନେହ ଯତନ ଆଦର ଆପ୍ୟାୟନେ
ମାତିଲେ ସବୁ ପ୍ରଥମ ଛୁଆ କୁ ନେଇ,
ଯୋଡିଲେ ପୁଣି ନୂତନ ବନ୍ଧନେ ।
ମୁଁ ତୁମର ଗୋଟିଏ ମାତ୍ର ଛୁଆ,
ଅଦ୍ୟକାର ଏଇ ଶୁଭ ପାର୍ବଣରେ,
ଏ କ୍ଷଣି ଆଣ ପରିଧାନ ସବୁ ନୂଆ,
ନୋହିଲେ ଆଜି ରହିବି ଉପାସରେ ।
ଶୁଣି ସେ କଥା ତାର ସାଥେ ତାର ବୋଉ,
ଦିହେଁ ମିଶିକି ଦେଖାଇଲେଣି ଦମ୍ଭ,
କ୍ଷଣିକ ନୀରବ ରହି କହିଲି ହେଉ,
ଯାହା ହେଲେ ବି କରିବା ଶୁଭାରମ୍ଭ ।
ମାଆ ଝିଅଙ୍କୁ ଡରି ହେଲି ସନ୍ତ୍ରସ୍ତ,
ସଙ୍ଗେ ସଙ୍ଗେ ଦଉଡି ଗଲି ବଜାର,
ରଙ୍ଗ ବେରଙ୍ଗୀ ଆଣିଲି ନୂଆ ବସ୍ତ୍ର,
ଖର୍ଚ୍ଚ କଲି ଟଙ୍କା ଦ୍ଵି- ଚାରି ହଜାର ।
ପୁଣି ଆସିଲା ଆଉରି ଏକ ପର୍ବ,
କହିଲା ଛୁଆ, ହଳଦୀ ପତ୍ର ଦେଇ
ପିଠା ନ ହେଲେ ନିୟମ ହେବ ଖର୍ବ,
ବସିଲି ପୁଣି ତା’ରି ଫର୍ଦ ନେଇ ।
ଯଦିଓ କଲି ସବୁ ଯୋଗାଡ ଯନ୍ତ୍ର,
ବଙ୍ଗବଧୂ ଜାଣିଛି କି ସେଇ ପିଠା,
ବନାଇବାକୁ ଦେଇ ହଳଦୀ ପତ୍ର,
ସୁଆଦ ବି କ’ଣ ହେବ ସେତେ ମିଠା ।
ପୁଣି ସଂଶୟ ଆସିଲା ମୋର ମନେ,
ଶ୍ରୀମତୀ କଣ କରିବେ ଏତେ କର୍ମ,
ଯଦିଓ ସେକଥା ରଖିଲି ମୁଁ ଗୋପନେ,
ଜାଣିଛି କି ସେ ଖିରି ପିଠାର ମର୍ମ ।
ବାଙ୍ଗନାରୀର ଅଙ୍ଗରାଗ ଯେତେ,
ନିପୁଣ କ'ଣ ଗୃହକର୍ମେ ସେତେ ?
ଶେଷରେ ଏକ ଆସିଲା ବୁଦ୍ଧି ମନେ,
ଯାହା ହେଉ ତାହା ଲାଗିଲା ଶୁଭକ୍ଷଣେ ।
ସେ ଥିଲେ ମୋର ପଡ଼ଶୀ ବନ୍ଧୁ ଜଣେ,
କାଳ ବିଳମ୍ବ ନ କରି ସେହି କ୍ଷଣେ,
କ୍ଷତାକ୍ତ କଲି ଚତୁର ବାକ୍ୟବାଣେ,
କହିଲି ତାଙ୍କୁ ଶୁଣ ହେ ଭାଗ୍ୟବାନେ,
ତୁମ ପତ୍ନୀଙ୍କ ହାତର ବଢିଆ ପିଠା,
ଖାଇଥିଲି ଥରେ ଭୁଲିବିନି ଜୀବନେ,
ହେଲାଣି ପ୍ରାୟ ତିନି ବର୍ଷ କଥା,
ଏବେ ମଧ୍ୟ ଅନ୍ତରେ ମୋର ଗୁନ୍ଥା ।
କଥାଟି ଶୁଣି ବନ୍ଧୁ ପରମ ସ୍ନେହେ,
କହିଲେ କେବେ ଖାଇଛ ଆମ ଘରେ ?
ମୁଁ କହିଲି ଖାଲି ମୁଁ ଏକା ନୁହେଁ,
ମୋ ପରିବାର ପୁରା ଥିଲେ ସେ ଥରେ ।
ସରଳ ବନ୍ଧୁ ଏତେ ଖୁସି ହେଲେ,
ମିଛ ସତ ବିଚାର ନ କରି କି,
ଗୃହେ ପହଞ୍ଚି ଗୃହିଣୀକୁ କହିଲେ,
ସିଏ ତାଙ୍କୁ ତତକ୍ଷଣାତ୍ ପଠାଇଲେ ।
ପହୁଁଛିଗଲେ ତିନୋଟି ଥାଳି ଧରି,
ଭାବିଲି ମନେ ଫନ୍ଦି ଫିକର କରି,
ଯାହା ହେଉ ଆଜି ଜୁଟିଲା ପିଠା ଖିରି,
ତୁମକୁ ହଜାର ଜୁହାର ହେ ଶ୍ରୀହରି ।
ଖାଇଲୁ ପିଠା ତିନିଜଣରେ ମିଶି,
ପରମାନନ୍ଦେ ତୃପ୍ତି ସହକାରେ,
ପର୍ବପାଳନ ଚାଲିଲା ଦିବା ନିଶି,
ପ୍ରଥମାଷ୍ଟମୀ ବଙ୍ଗ ପରିବାରେ ।