ଠିଆ ଗୋଇଠା
ଠିଆ ଗୋଇଠା
ରମେଶ ପତି
ବନ୍ଧୁତାର ସବାଶେଷ ଖିଅ
ଭିଡିନେଇ ଛିଣ୍ଡାଇଲା ଆପଣା ମର୍ଜିରେ...
ପୁଣି ବାଛିନେଇ ଲେଉଟାଣି ପଥ ।
ହଁ ମାନୁଛି, ଥୁ’ କରି ପୁଣି ଥରେ
ସେଇ ଛେପ ଢୋକିବାର କଳା
ତୁମକୁ ବେଶ୍ ଭଲଭାବେ ଜଣା ।
ବିପଦରେ ଚରଣ ବନ୍ଦନା ଆଉ
ସୁଯୋଗ ମିଳିଲେ ଛଡେଇ ନେଇପାର
କା’ର ସୁଖ- ସମ୍ଭାବନା ।
ଛଳନାରେ କାନ୍ଦିପାର କାରୁଣ୍ୟର ନଗ୍ନ ଛବିରେ
ପୁଣି ହସି ମଧ୍ୟ ପାର ।
ତତଲା ପବନଠାରୁ ଆହୁରି ଘାତକ
ତୁମ ଶବ୍ଦ ସୈକତ ।
ଅନେକ ଅନୁଗାମୀଙ୍କୁ ତୁମେ
ନଈ ଦେଖାଇବା ପାଇଁ ଭରସା ଦେଇଛ
ଜଳର ଉପଯୋଗ ବଖାଣି ରଚନା ଲେଖିଛ ।
ବାସ୍ତବରେ ତୁମେ ଯାହାକୁ
ପାଣି କହି ଧାଉଁଥିଲା, ତାହା ଥିଲା
ଶୋଷ ଆଉ ମରୀଚିକା ।
ସ୍ଵଭାବରେ ତୁମେ ଏକ
କଣ୍ଟକିତ ମରୁ ବୃକ୍ଷ
ସାମ୍ନା କର ଝଡଝଞ୍ଜା, ଅନ୍ଧାରରେ ଉଣ୍ଡୁଥାଅ
ଲୁଟିବାକୁ ପରଧନ, ଜୀବନ-ଯୌବନ ।
ଡେଣା ଅଛି ତୁମ ପାଖେ
ଲଙ୍ଘିବାକୁ ମହାକାଶ, ନକ୍ଷତ୍ରରୁ ଜ୍ୟୋତି ନେଇ
ଫାଙ୍କିବାକୁ ତୁମ ପାଖେ ଅଛି
ଅଜସ୍ର ସମ୍ବଳ, ଏଣୁ ବନ୍ଧୁ ନିଅ
ମୋର ଦୈନନ୍ଦିନ ଟିପା ଖାତା ସହ
ଗଣତନ୍ତ୍ର ଦିବସରେ
ଉପହାର ଦେଇଥିବା ଆଦର୍ଶ ପୁସ୍ତିକା ।
ଢାଳିଦେଲି କଲମରୁ କାଳି ପୁଣି
ଲିଭାଇଲି ସବୁଦିନ ପାଇଁ
ତୁମ ନାମେ ମୋ’ ମନରେ ଜଳୁଥିବା
ଆଦର୍ଶ ଦୀପାଳି ।
ଏବେ ମୋର ଭୟ ନାହିଁ ଜମା
ଯେତେ ଥର ଗୋଇଠା ମାରୁଛ ମାର
ଦେଖିବ ନିର୍ଭୟରେ ତୁମକୁ ସାମ୍ନା କରିବାକୁ
ଠିଆହେବି ଖୁଣ୍ଟଟିଏ ହୋଇ ।