ଯାଯାବର
ଯାଯାବର
ଦୂରଦୃଷ୍ଟି ଖୁବ୍ ପ୍ରଖର ଶାଣଦିଆ ନଜର ତୁମର
ତୁମେ ଆଖି ଛୋଟ କରି କଳିପାର
ଗୋଲ ଜହ୍ନର ଆକାର..!
ପୁଣି
ମନ ମାପଫିତାରେ ମାପିପାର
କେତେଦୂର ସେ ରାଣୀହଂସପୁର..!?
ଖୁବ୍ ଭଲଭାବରେ ଜାଣେ
ନିଜ ଶରୀରକୁ ନିଜେ ବୋହି ମାଟି ଆଡକୁ ଖସୁଥିବା
ଅପ୍ରାପ୍ତିର ପ୍ରାପ୍ତ ବୟସ୍କ ପତ୍ରଟିଏ ମୁଁ ..!
ମୋ ଦେହ ଏବେ
ଗୁରୁଗୁରୁ ହଳଦୀ ବସନ୍ତ..!
ତୁମେ କିନ୍ତୁ ନିଜ ଇଛାର ଅଭିଷେକ କରାଇ
ଖୋଜିଚାଲ ମୋ ପରି
ନୂଆ କେଉଁ ଏକ ପାରିଜାତ..!
ମୋ ସ୍ନେହ , ଶ୍ରଦ୍ଧା, ପ୍ରେମ, ମମତା, ମୋହ, ମାୟା ସବୁ
ତୁମ ହସ୍ତେ ଲୀଳାକମଳ...!
ତୁମେ ତାକୁ ନିଜ ଇଛାରେ ହସି ହସି ଖୁବ୍ ଖେଳ..!
ତୁମ ଛୁଆଁରେ ମୋ ଦେହ ବାସ୍ନାମୟ..!
ତୁମ ଚୁମ୍ବନରେ ମୋ ଯୌବନ ମଧୂମୟ..!
ହେଲେ ସତରେ କି ଛୁଅଁ ତୁମେ
ମୋ ଭଙ୍ଗା ଚାଳିଆର କବାଟ , ଝରକା , ଫାଟକ , ଛପର
ଅବା ଏ କାନ୍ଥର କୋହ ?
ତୁମ ଆତିଥ୍ୟ ତ ଚାହେଁ କେବଳ ବାସ୍ନାୟିତ ସଜଦେହ..!
ଏବେ ଯାଅ ତୁମେ ଫେରି
ଲୋଡାନାହିଁ ତୁମ ସହଚର୍ଯ୍ୟା ଅଲୋଡା ସେ ଆପଣାପଣ..!
ବନ୍ଦ ହେଉ ମୋର ଏ ଦେହାଶ୍ରିତ ସୁଖ ଆଉ ତାର ଦିଶାହୀନ ଅନ୍ୱେଷଣ..!
ନା ଏ ଘର ଥିଲା ମୋର..?
ନା ମୁଁ ଥିଲି ଏ ଘରର ?
ହଁ..
ମୁଁ ହିଁ ତ ମୋ ନିଜ ଘରେ ସାଜିଥିଲି ନିଜେ ଯାଯାବର..!!