ଆସ ଆଗୋ ସଖୀ
ଆସ ଆଗୋ ସଖୀ
ସରାଗେ କି ନଇଁ ତଡାଗେ ଏ କଇଁ
ଫୁଟିଛି ଜୋଛନା ଛୁଇଁ
ଏତେଦିନ ପରେ ଦେଖ ଗୋ ଉପରେ
ଚନ୍ଦ୍ରମା ଆସିଛି ଉଇଁ ।
ଆସ ଆଗୋ ସଖୀ ସ୍ନେହଭାବ ରଖି
ବାହାରେ ବସିବା ଆଜି
ବହୁଦିନ ହେଲା ଆଉ ସଞ୍ଜବେଳା
ବସିନାହେଁ ସାଥୀ ସାଜି ।
ଆପଣା ଜଞ୍ଜାଳେ ସମସ୍ୟା ହିଁ ଜାଳେ
ବିତିଗଲା କେତେ ବର୍ଷ
ଦୁହେଁ ପାଖେ ବସି ପାରିଲେନି ରସି
ମୁହଁରେ ଫୁଟାଇ ହର୍ଷ ।
ଆଉଥରେ ମଜି ସପନରେ ହଜି
ଘାଣ୍ଟିବା ପୁରୁଣା ଦିନ
ପରସ୍ପରେ ଚାହିଁ ଆଜି ଟିକେ କାହିଁ
ନକରିବା ରୋଷ ଛିନ୍ନ ?
ଥିଲା ସବୁ ଯାହା ଘଟିବାକୁ ତାହା
ଘଟି ତ ଯାଇଛି ସରି
ଦୁଃଖ ପଛେ ଥାଉ କିପାଇଁ ଗୋ ଆଉ
ଜୀଇଁବା ଯାତନା ଭରି ।
ଅବିଶ୍ଵାସ ବିଷ ରଖି ହେବ କିସ
କେତେକାଳ ଆଉ ବାକି
ଜାଣୁଜାଣୁ ସତ ଲାଗୁନ ଉଷତ
କୋହ ତ ରଖିଛ ଜାକି ।
ଏଣେତେଣେ ଗଡି ସ୍ମୃତି ଯେତେ ପଡି
ରହିଛି ଆଗର ବୋଲି
ଆସ ଆସ ଥରେ ଆଜି ଗୋ ସତରେ
ସାଉଁଟିବା ମନ ଖୋଲି ।
ଜଞ୍ଜାଳ ଜ୍ୟାମିତି କଷୁ କଷୁ ନିତି
ଲେଖିଲି ଯେତେକ ଗୀତି
ଧ୍ରୁବସତ୍ୟ ଏହି ଆଉ ନାହିଁ କେହି
ସବୁ ତ ତୁମର ପ୍ରୀତି ।
ଛନ୍ଦି ଦେଇ ବାହା ଦୁଇ କପ ଚାହା
ପିଇବା ପିଣ୍ଡାରେ ଆସ
ଆଜି ତୁମ ଶୋଭା ସତେ ମନଲୋଭା
ମହକୁଛି ଦେହ ବାସ ।
ପ୍ରସନ୍ନ କୁମାର ମାଦଳା