ହେ ବିଶ୍ବକର୍ମା
ହେ ବିଶ୍ବକର୍ମା
ମୃଣାଳ ଛିଦ୍ରରେ ପ୍ରବେଶି ସୂକ୍ଷ୍ମଦର୍ଶନ ଧ୍ୟାନେ
ନ ପାଇଲ ମୂଳ ଅନ୍ବେଷି ନିଜ ଉଦ୍ଭବ ସ୍ଥାନେ ,
ସସ୍ର ଚତୁର୍ଯୁଗ ଧ୍ୟାନରେ ନିରୀକ୍ଷଣରେ ବିତେ
ଓଁ କାର ଶବଦ ବ୍ରହ୍ମରେ ତତ୍ତ୍ବ ନିବେଶି ଚିତ୍ତେ ।
ତଦନ୍ତେ ପରମକାରଣ ତେଜି ତୁମ୍ଭର ଚେତା
କରନ୍ତେ ସ୍ବରୂପଧାରଣ ହେଲ ଶ୍ରୁତିର ବେତ୍ତା ,
ସୃଷ୍ଟି ସଂରଚନା ନିମିତ୍ତ ଦେଲେ କରୁଣା ବାରି
ପ୍ରାପତେ କରିଲ ଆୟତ୍ତ ସାଧ୍ୟେ ନଯାଇ ହାରି ।
ବ୍ରହ୍ମାଣ୍ଡ ଭୂଲୋକ ନିର୍ମାଣେ ରଖ ସାଧନ ଭରି
ପ୍ରାଣୀଙ୍କ ଉତ୍ପତ୍ତି କାରଣେ ମନ ମନ୍ଥନ କରି ,
ଊର୍ଦ୍ଧ୍ବକୁ ଚଳନ୍ତି କୁମାର ଚାରି ଅନ୍ବେଷି ପିତା
କ୍ରମେ ସପ୍ତ ଋଷି ଅପାର ଜ୍ଞାନେ ସାଧନ୍ତି ଚିନ୍ତା ।
ଦକ୍ଷ ପ୍ରଜାପତି ସହିତ ମନୁ ମନାବୀ ସୂତ୍ରେ
ସୃଜିଲ ସଂସାର ବିହିତ ତାଙ୍କ ବଂଶଜ ପୁତ୍ରେ ,
ରଚିଅଛ ପ୍ରାଣୀ ମାନବେ ବ୍ରହ୍ମେ ପୂରିଛି ବାସ
ଆଶ୍ବିନ ସଂକ୍ରାନ୍ତି ଆହବେ ବିଶ୍ଵକର୍ମା ହେ ଆସ ।
ନିର୍ମାଣ ଶାସ୍ତ୍ରର ନିୟନ୍ତା ଆହେ ଜଗତ ଧାତା
ଯନ୍ତ୍ରୀ କାରିଗରୀ କରତା ସର୍ବ ବିଦ୍ୟାର ଦାତା ,
ସୃଷ୍ଟି ସନ୍ତୁଳନେ ଭରାଇ ଯେତେ ରକ୍ଷଣ ବିଧି
ସାମର୍ଥ୍ୟରେ ଦିଅ ଧରାଇ ବାସ୍ତୁ ନିର୍ମାଣେ ସିଦ୍ଧି ।