ଯୋଗଜନ୍ମା ଜଗନ୍ନାଥ
ଯୋଗଜନ୍ମା ଜଗନ୍ନାଥ
ହେ ବିଶ୍ୱ କରତା ଭାଗ୍ୟର ବିଧାତା
ଯୋଗଜନ୍ମା ଜଗନ୍ନାଥ ।
ଅଖିଳ ବ୍ରହ୍ମାଣ୍ଡ ତୁମରି ଆଶ୍ରିତ
ବୋଲାଅ ଜଗତ ନାଥ ।।
ମୁଁ ସ୍ପର୍ଶ କାତର ନିମିତ୍ତ ମାତର
ଦେବାକୁ ନାହିଁ ମୋ'କିଛି ।
ଯାହା ଥିଲା ସବୁ ହଜେଇ ସାରିଛି
ନିଜେ ମୁଁ ମାତର ଅଛି ।।
ପ୍ରଣତିର ଫୁଲ ଭକତିର ମାଳ
ଶରଧା ଚନ୍ଦନ କରି ।
ବାଢି ଦେଉଛି ମୁଁ ତୁମ ଶ୍ରୀ ପୟରେ
ଅଶ୍ରୁ ନୈବେଦ୍ୟ ଭରି ।।
ଅଶ୍ରୁ ନୁହେଁ,ୟେ ମୋ'ନୟନ ନିର୍ମାଲ୍ୟ
ଭାବନାର ବର୍ଣ୍ଣମାଳା ।
ଭାବନା ନୁହେଁ ୟେ ଭଗ୍ନ ହୃଦୟର
ଭଙ୍ଗୁର ମୁଖଶାଳା ।।
ମୁଖଶାଳା ମୋର ମର୍ମେମର୍ମେ ମାଗେ
ତୁମରି ନିତ୍ୟ ନିବାସ ।
ହୃଦୟେ ମୋହର ଭାବର ନିର୍ଝର
ତୁମ ଶାଶ୍ୱତ ପ୍ରକାଶ ।।
ଭାବରେ ଭାବରେ ଭକତି ବାଢୁଛି
ଆଞ୍ଜୁଳା ଆଞ୍ଜୁଳା ଭରି ।
ଅଞ୍ଜଳିକୁ ମୋର ଅର୍ଘ୍ୟ ଭାବିନେଇ
ସ୍ଵୀକାର କର ଶ୍ରୀହରି ।।
ତୁମକୁ ଦେଖିବି ସେମିତି କାହିଁ ମୋ'
ଦିବ୍ୟ ଶକ୍ତି ଦିବ୍ୟ ଦୃଷ୍ଟି ।
ତଥାପି ମନରୁ ଦେଖି ମୁଁ ଚାଲିଛି
ତୁମେ ବ୍ରହ୍ମ,ତୁମେ ସୃଷ୍ଟି ।।
ନିଆରା ପଣରେ ତୁମକୁ ଦେଖିଲେ
ନିଆରା ନିଆରା ଦିଶ ।
ନିଆରା ଭଙ୍ଗୀରେ ନିରେଖି ନିରେଖି
ମୁରୁକି ମୁରୁକି ହସ ।।
ତୁମେ ତ ନିଆରା ଠାଣି ବି ନିଆରା
ନିଆରା ତୁମରି ଆଖି ।
ଆଖିରେ ଆଖିଏ ସପନକୁ ନେଇ
ଭିଜି ହଜି ହୁଏ ସାକ୍ଷୀ ।।
ଆହେ ଗୋପୀନାଥ ସାକ୍ଷୀ ଭାଗବତ
ଘେନ ଅଧିନ ପ୍ରଣତି ।
ବାଇଶି ପାହାଚ ତଳେ ପ୍ରଣିପତ୍ୟ
ଅପେକ୍ଷିତ ଦିନରାତି ।।