ଝୁଅର କି ହେଲା ଦୋଷ
ଝୁଅର କି ହେଲା ଦୋଷ
ଝୁଅର କି ହେଲା ଦୋଷ
(ପଲ୍ଲୀ କବିତା)
ମାଣବସା ଗୁରୁବାର ଲୋ ବଉଳ,
ଆସିଚି ମୁଁ ବାପଘର,
ଜେଜୀମା'କହେ "ଲକ୍ଷ୍ମୀଙ୍କ ଭୋଗରେ,
ଭାଗନାଇଁ ଝୁଅ ତୋର।
ବାହାହେଇଗଲୁ ପରପାଗୀ ହେଲୁ,
ବାପଘର ଗଲା କଟି,
ଛୁତିକିଆ ମୂର୍ତ୍ତିକିଆ ପାଳୁଚ ଲୋ,
ଅଲଗା ତମର ସେଠି।"
ପଦେ କଥାରେ ତ ପର କରିଦେଲେ,
ଘର ଝୁଅକୁ ବଉଳ,
ବିଲେଇ ଖାଇଲେ ଭୋଗ ମାରାନାଇଁ,
ବାହାହେଲା ଝିଅ ପର।
କେଡେ ହିନୀମାନ ଲାଗେ ଲୋ ବଉଳ,
ଲାଗେ ମୁଁ ସତେ ଅଛୁଆଁ,
ବୋହୂ ଯଦି ପୂଜା ପ୍ରସାଦ ପାଇବ,
ଝୁଅପେଇଁ ମନା କିଆଁ ?
ବାପା ମାଆଙ୍କର ଯେଉଁ ରକତ ଲୋ,
ବହୁଚି ପୁଅ ଦେହରେ,
ସେଇ ରକତ ତ ବହୁଚି ବଉଳ ,
ମୋର ଏଇ ଧମନୀରେ।
ତେବେ କିଆଁ ଝୁଅ, ହେଲା ଗୁଞ୍ଜାରୁଅ,
ପୁଅ ହେଲା ଆପଣାର,
ବାହା'ଆଗରୁ ତ ଝୁଅ ଘରଲକ୍ଷ୍ମୀ,
ବା'ଘର ପରେ ପର !
ଦୁଃଖିନୀ ଝୁଅର ମରମ ବେଦନା,
ବୁଝି ନପାରନ୍ତି କେହି,
'ଭୋଗଟିକେ ଦେଲେ ଲକ୍ଷ୍ମୀ ଛାଡିଯିବେ,'
ଏ କୁସଂସ୍କାର କାହିଁପାଇଁ ?
କାହିଁକି ଏମିତି ନିୟମ ରହିଚି,
ମିଳୁନି ଲୋ ମତେ ଚେର,
ଜାଣିଥିଲେ ଟିକେ କହିବୁ ବୁଝାଇ,
ବଉଳ ତୁ ଆପଣାର।