ମୁଁ ଏମିତି ହିଁ
ମୁଁ ଏମିତି ହିଁ
ହଁ,
ମୁଁ ଏମିତି ହିଁ
ଟିକେ ପୁରୁଣାକାଳିଆ,
ମୋତେ ଭଲଲାଗେ
ଖୁବ ପରିଚିତ ତୁମ କଣ୍ଠ ସ୍ୱର
ଆଉ ତାର ଗଭୀରତାରେ ହଜିବାକୁ,
ମୁହଁରେ ନକହି, ମନକଥା ଢାଳି
ପୃଷ୍ଠା ପୃଷ୍ଠା ଚିଠି ଲେଖିବାକୁ,
ଖୁବ ଭଲ ଲାଗେ ମୋତେ।
ପୁରୁଣା ସିନେମା ରୋମାଣ୍ଟିକ ଗୀତଟିଏ
ତୁମକୁ ଉତ୍ସର୍ଗୀ ଖୁସି ହୁଏ,
ତୁମ କଥା ଭାବି, ବେଳେ ବେଳେ
ନିଜେ କିଛି ଗୁଣୁଗୁଣୁ ଗାଏ,
ବର୍ଣ୍ଣିବାକୁ ମୋ ପ୍ରୀତି ଗଭୀରତା
ଲେଖୁଥାଏ କେତେ କଣ
ଶବ୍ଦକୁ ଶବ୍ଦ ସ୍ନେହର ଅଠାରେ ଯୋଡି
ନ ହୋଇ ପାରେ ସେ କବିତା ପଦବାଚ୍ୟ,
ହେଲେ ପ୍ରତିଟି ପଦ ସେଥିରେ
ମୋ ସୋହାଗ, ମୋତି ସମ୍ପାତିଛି।
ତୁମେ ମୋତେ ପାଗଳୀ, ମୂର୍ଖ, psycho
ଏମିତି କେତେ କଣ ଆଖ୍ୟା ଦିଅ,
ହେଲେ ତୁମ ପାଇଁ ଏତେଯାକ ସ୍ନେହ
ଝରି ପଡେ ମୋ ଟିକି ହୃଦୟରୁ,
ଯେଉଁଠି ଏକଛତ୍ର ରାଜା ସାଜି
ତୁମେ ଆଜିବି ଥାଟରେ ରୁହ।