ଅଝଟିଆ ପିଲାଦିନ
ଅଝଟିଆ ପିଲାଦିନ
ସମୟର ସୁଅ ବହି କେତେ ବାଟ
ଆଗକୁ ଆସିଛି ମାଡ଼ି
ଉଠାଣି ଗଡାଣି ଖାଲଢିପ ସବୁ
ପଛରେ ଆସିଛି ଛାଡ଼ି ।
ଚପଳାମି ଭରା ସରସ ଜୀବନେ
ଯେତେ ହୋଇଥିଲେ ମେଳ
ଗୋଟି ଗୋଟି କଥା ମନେ ପଡିଯାଏ
ସୁନ୍ଦର ସେ ପିଲାବେଳ ।
କଲି ଦୁଷ୍ଟ ଭଳି ଅଳି ଅରଦଳି
ମାଆର ଆଦର ବଳେ
ନୈତିକତା ସବୁ ଲୁଚି ଛପିଗଲା
ତାହାରି ପଣତ ତଳେ ।
ବାପା ସିନା ତାଙ୍କ କଠୋର ଶାସନେ
ଦେଖାନ୍ତି ନାଲିଆ ଆଖି
ଅଭିମାନ କଲେ ବୁଝାଇ ଶୁଝାଇ
ପ୍ରେରଣା ଦିଅନ୍ତି ଡାକି ।
ପରୀ ରାଇଜର କଥା ଶୁଣୁ ଶୁଣୁ
ଶୋଇ ମୋ ଜେଜେମା' କୋଳେ
କେଉଁ ରଜାଘର କୁହୁକ ରାଇଜେ
ସପନରେ ହଜେ ଭୋଳେ ।
କେବେ ବା କେମିତି ଅବହେଳା କଲେ
ପଢିବା ପାଇଁକି ପାଠ
ଶିକ୍ଷକ ଆମର ବରଷି ଦିଅନ୍ତି
ପିଠିରେ ତେନ୍ତୁଳି ଛାଟ ।
ଲୁଚି ଲୁଚି କାହା ବାଡିବଗିଚାରୁ
ଏହି ମୋ ହାତରେ ତୋଳି
ସାଙ୍ଗ ସାଥୀ ମେଳେ ଖାଇଛି ବି କେତେ
ସୁଆଦିଆ ଫଳ କୋଳି ।
ଭାରି ଭଲ ଲାଗେ ଲୁଣ ଲଙ୍କା ବୋଳି
ଖାଇବାକୁ କରମଙ୍ଗା
ବର୍ଷା ନାଳେ ଯଦି ଭାସିଯାଏ ମୋର
କାଗଜ ତିଆରି ଡଙ୍ଗା ।
ମାତାପିତା ସଙ୍ଗେ କି ସୁନ୍ଦର ଥିଲା
ଅଝଟିଆ ପିଲାଦିନ
ତୁଳନା କରିଲେ ଆଜିର ଜୀବନ
ଲାଗେ ତାହାଠାରୁ ହୀନ ।